Odisha Link
Bridging the Missing Links in Odisha

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କେମିତି କରିବେ ଆବେଦନ

ଓଏଲ୍‌ ବ୍ୟୁରୋ: ଜାତୀୟ ଶିକ୍ଷକ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଦେଶରେ ଶିକ୍ଷକ ମାନଙ୍କର ଅନନ୍ୟ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଏବଂ ଯେଉଁ ଶିକ୍ଷକମାନେ ନିଜ ପ୍ରତିବଦ୍ଧତା ଓ ନିଷ୍ଠା ବଳରେ କେବଳ ଶିକ୍ଷାର ଗୁଣବତ୍ତାରେ ଉନ୍ନତି କରି ନାହାନ୍ତି ବରଂ ସେମାନଙ୍କ ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ମଧ୍ୟ ସମୃଦ୍ଧ କରିଛନ୍ତି ସେହି ଶିକ୍ଷକ ମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରଦାନ କରାଯାଏ। ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଆଜିଠୁ ଆବେଦନ ଆରମ୍ଭ ହୋଇଥିବାବେଳେ ଜୁନ୍ ୨୦ ଯାଏଁ ଆବେଦନର ଶେଷ ତାରିଖ ରହିଛି। ତେବେ ସେପ୍ଟେମ୍ବର ୫ରେ ଏହି ପୁରସ୍କାର ପ୍ରଦାନ କରାଯାଏ। https://awards.gov.in/ ରେ ଆବେଦନ କରିପାରିବେ ଆବେଦନକାରୀ ।

ସୂଚନା ଅନୁସାରେ, ଗତବର୍ଷ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ ୭୫ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ପ୍ରଦାନ କରିଥିଲେ। ପ୍ରତି ବର୍ଷ ଭାରତରେ ସେପ୍ଟେମ୍ବର ୫ ତାରିଖ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଦିବସକୁ ଜାତୀୟ ଶିକ୍ଷକ ଦିବସ ଭାବେ ରୂପେ ପାଳନ କରା ଯାଇଥାଏ। ପ୍ରତ୍ୟେକ ପୁରସ୍କାରରେ ମେରିଟ୍ ସାର୍ଟିଫିକେଟ୍‌, ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯାଏ।

ଗତବର୍ଷ ଓଡିଶାରୁ ଦୁଇ ଜଣ ଶିକ୍ଷକ ଏବଂ ଦୁଇ ଜଣ ପ୍ରଶିକ୍ଷଣ ଅଧିକାରୀ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଭଦ୍ରକ ଜିଲ୍ଲାର କେନ୍ଦୁଆପଡ଼ା ନୋଡାଲ ହାଇସ୍କୁଲର ଶିକ୍ଷକ ଶଶି ଶେଖର କର ଶର୍ମା ଏବଂ ଜଗତସିଂହପୁର ଜିଲ୍ଲାର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଭାଷ ଚନ୍ଦ୍ର ରାଉତଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ପୁରସ୍କାର ବିଜେତାଙ୍କ ମଧ୍ୟରେ ଥିଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ଖୁଦପୁରସ୍ଥିତ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇଟିଆଇ ଅନୁଷ୍ଠାନର ପ୍ରଶିକ୍ଷଣ ଅଧିକାରୀ ରବିନାରାୟଣ ସାହୁ ଏବଂ ଭୁବନେଶ୍ୱରର ରାଜ୍ୟପାଳ ଭବନ ନିକଟରେ ଥିବା ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ସହକାରୀ ପ୍ରଶିକ୍ଷଣ ଅଧିକାରୀ (ଏଟିଓ) ସୁନୀତା ସିଂହ ।

Leave A Reply

Your email address will not be published.