ଓଡ଼ିଶାରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର, ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଉଠାଇଲେ ପ୍ରଶ୍ନ

ଓଏଲ୍ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ହେଭିଓ୍ବେଟ୍ ନେତା। ଆଉ ଦିନକ ପରେ ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ତେବେ ଏହି ୬ ଲୋକସଭା ଆସନ ପାଇଁ ଆଜି ପ୍ରଚାରର ଶେଷ ଦିନ। ତେବେ ଏଥିପାଇଁ ଦମଦାର ଉଦ୍ୟମ କରୁଛନ୍ତି ଦଳୀୟ ପ୍ରାର୍ଥୀ।
ଏହି କ୍ରମରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତା। ଗୋଟିଏ ଦିନରେ ଓଡ଼ିଶା ଆସିଛନ୍ତି ଯୋଗୀ ଆଦିତ୍ୟନାଥ, ଜେପି ନଡ୍ଡା, ହିମନ୍ତ ବିଶ୍ବଶର୍ମା। ଓଡ଼ିଶା ଗସ୍ତରେ ଆସି ଚିଲିକା ବାଣପୁର ସଭାରେ ଯୋଗୀ ଆଦିତ୍ୟନାଥ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ। ଏଠାରେ ଡବଲ ଇଂଜିନ ସରକାର ହେବ। ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, ଗୋ ମାଫିଆଙ୍କୁ ସାବାଡ଼ ପାଇଁ ଶକ୍ତି ଦିଅନ୍ତୁ। ଉତ୍ତର ପ୍ରଦେଶର ବୁଲ୍ ଡୋଜର ପରି ଏଠାରେ ସାବାଡ଼ କରାଯିବ।
ଏ ମୋଦିଙ୍କ ଭାରତ, ଯିଏ ବଦମାସୀ କରିବ, ସାବାଡ଼ କରାଯିବ। ଡବଲ ଇଂଜିନ ସରକାରରୁ କିଭଳି ଲାଭ ମିଳେ ୟୁପି ଦେଖେଇଛି। ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି। ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ସେ କହିଛନ୍ତି, ଏଠାରେ କେବଳ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, ଗୋ ମାଫିଆ ନାହାନ୍ତି ବରଂ ଭଗବାନଙ୍କ ଭଣ୍ଡାର ଲୁଟେରା ମଧ୍ୟ ଅଛନ୍ତି।
ଏହା ସହ କଂଗ୍ରେସକୁ ବି କଡ଼ା ସ୍ବରରେ ଆକ୍ରମଣ କଲେ ଯୋଗୀ ଆଦିତ୍ୟନାଥ। ଆଜି ବି ଭାରତରେ ଏମିତି ଲୋକ ଅଛନ୍ତି ଖାଇବେ ଭାରତର, ଗାଇବେ ପାକିସ୍ତାନର। ଭାରତର ଯଦି ବନ୍ଦନ କରିନପାରିବ ତେବେ ଚାଲିଯାଅ। ମୋଦିଙ୍କ ନେତୃତ୍ବରେ ସୁରକ୍ଷା, ସମ୍ମାନ, ବିକାଶ ସବୁ ହୋଇଛି। ୫ଶହ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ମୋଦି ଶ୍ରୀରାମ ମନ୍ଦିର କରିଛନ୍ତି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି।