Odisha Link
Bridging the Missing Links in Odisha

କାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୮୮୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ଦେଶରେ ୫ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆସନ୍ତାକାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଦେଶର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ଆସନରେ ହେବ ମତଦାନ। ଏଥିରେ ରହିଛି ଦିଲ୍ଲୀର ୭ଟି, ବିହାରର ୮ଟି, ହରିୟାଣାର ୧୦ଟି , ଝାଡଖଣ୍ଡର ୪ଟି, ଓଡିଶାର ୬ଟି, ଉତ୍ତରପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି ଓ ଜାମ୍ମୁକାଶ୍ମୀରର ଗୋଟିଏ ଆସନ। ଷଷ୍ଠ ପର୍ଯ୍ୟାୟରେ ୫୮ଟି ଆସନରେ ୮୮୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା। ପ୍ରଚାରର ଶେଷ ଦିନରେ ବିଜେପି, କଂଗ୍ରେସ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଭଳି ଦଳ ଜୋରଦାର ପ୍ରଚାର କରିଥିଲେ।

ସେହିଭଳି ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ରାଜ୍ୟର ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ବଡ଼ ବଡ଼ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ସମ୍ବଲପୁର, ଭୁବନେଶ୍ୱର, କଟକ, କେନ୍ଦୁଝର, ଢେଙ୍କାନାଳ ଓ ପୁରୀ ଭଳି ହାଇପ୍ରୋଫାଇଲ ଆସନରେ ଭୋଟ୍ ପଡିବାକୁ ଯାଉଛି। ଯାହା ବଡ ବଡ ନେତାଙ୍କ ପାଇଁ ସମ୍ମାନର ଲଢେଇ। ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ୪୪୮ ଜଣ ପ୍ରାର୍ଥୀ। କେବଳ ୬ଟି ଲୋକସଭା ପାଇଁ ମୈଦାନରେ ଅଛନ୍ତି ୬୪ ଜଣ ପ୍ରାର୍ଥୀ ଏବଂ ୪୨ ବିଧାନସଭା ଆସନରେ ୩୮୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୩୩୯ ଜଣ ପୁରୁଷ ପ୍ରାର୍ଥୀ ଓ ୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଭୋଟ ଦେଇ ବଡ଼ ବଡ଼ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ମୋଟ ୯୪ ଲକ୍ଷ ୪୮ ହଜାରରୁ ଅଧିକ ଭୋଟର ଭୋଟ ଦେଇ ନେତା ବାଛିବେ।

Leave A Reply

Your email address will not be published.