Odisha Link
Bridging the Missing Links in Odisha

ଓଡ଼ିଶାରେ କାହାର ହେବ ସରକାର, ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କ ନଜର

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଓଡ଼ିଶାରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଯାହା ଉପରେ ସମସ୍ତଙ୍କ ନଜର। କାରଣ ଓଡ଼ିଶା ରାଜନୀତିର ହଟସ୍ପଟ୍‌ ଆସନ ଗୁଡ଼ିକରେ ଶନିବାର ହେବ ମତଦାନ। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସରକାର ଗଠନ କରିବାକୁ ଦାବି କରୁଥିବା ବେଳେ ତୃତୀୟ ପର୍ଯ୍ୟାୟ ମତଦାନ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ବିଜେଡି ୬ଷ୍ଠ ଥର ପାଇଁ ଗାଦିରେ ବସିବ ନା କଂଗ୍ରେସ ଦୁଇ ଦଶନ୍ଧି ପରେ ସରକାରକୁ ଆସିବ ନା ବିଜେପି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ ତାହା ନିର୍ଣ୍ଣୟ କରିବ ତୃତୀୟ ପର୍ଯ୍ୟାୟ ମତଦାନ।

ଓଡ଼ିଶାରେ ୨ଟି ପର୍ଯ୍ୟାୟ ମତଦାନ ଶେଷ ହୋଇ ସାରିଛି। ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ କମ୍ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୭୪ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୭୩.୫୧ ପ୍ରତିଶତ ରେକର୍ଡ କରାଯାଇଛି। ପ୍ରାୟତଃ ସବୁ ସ୍ଥାନରେ ଶାସକ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢେଇ ହେଉଥିବାର ଦେଖିବାକୁ ମିଳୁଛି। ତେବେ ବିଜେପିର ଫୋକସ୍‌ ଓଡ଼ିଶା ବା ମିଶନ ଓଡ଼ିଶା କେତେଦୂର ବାସ୍ତବରେ ପରିଣତ ହେବ ତାକୁ ନେଇ ଏବେ ସାରା ରାଜ୍ୟରେ ଜୋର୍‌ ଧରିଛି ଚର୍ଚ୍ଚା। ପୂର୍ବଭଳି ସହଜରେ ସରକାର ଗଢି ରେକର୍ଡ କରିବ କି ଶଙ୍ଖ ଦଳ ? ନା ବିଜେପିର ମିଶନ ଓଡ଼ିଶା ଯୋଗୁଁ ପଦ୍ମ ଫୁଟିବ କିମ୍ବା କଂଗ୍ରେସ କିଛି ଚକମା ଦେଖାଇବ, ଏହା ତା’ ଉପରେ ସମସ୍ତଙ୍କ ନଜର।

ଏଥର ଓଡ଼ିଶା ଜାତୀୟ ରାଜନୀତିରେ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଛି। କାରଣ ଚଳିତ ଥର ବିଜେପି ଓ ବିଜେଡି ମଧ୍ୟରେ ଦେଖିବାକୁ ମିଳୁଛି ଆରପାରର ଲଢେଇ। ବିଜେଡି ପୁଣିଥରେ ସ୍ବିପ୍ କରିବା ଲକ୍ଷ୍ୟରେ ଥିବାବେଳେ ବିଜେପି ମଧ୍ୟ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ସାମ୍ପ୍ରତିକ ନିର୍ବାଚନ ମାହୋଲକୁ ଦେଖିଲେ ବିଜେଡି ପାଇଁ ପୂର୍ବଭଳି ଏଥର ସହଜ ବିଜୟ ହୋଇନପାରେ ବୋଲି ରାଜନୀତି ସମକ୍ଷୀକମାନେ ଅନୁମାନ କରୁଛନ୍ତି।

ଶାସକ ବିଜୁ ଜନତା ଦଳ ୬ଷ୍ଠ ଥର ପାଇଁ କ୍ଷମତାକୁ ଆସିବାକୁ କରୁଛି ଜୋରଦାର ପ୍ରସ୍ତୁତି। ରାଜ୍ୟ ଶାସନ ଗାଦିକୁ ପୁଣିଥରେ ଅକ୍ତିଆର କରିବା ପାଇଁ ବିଜୁ ଜନତା ଦଳ ନିର୍ବାଚନରେ ଦେଇଛି ବଡ଼ ବଡ଼ ପ୍ରତିଶ୍ରୁତି। ଶାସକ ଦଳ ନବୀନ ଇଞ୍ଜିନ, ୫-ଟି ନବୀନ ଗ୍ୟାରେଣ୍ଟି ନାରା ଦେଇ ଭୋଟରକୁ ଆକୃଷ୍ଟ କରିବାରେ ଲାଗିଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ବରେ ଯେଉଁସବୁ ଉନ୍ନତିମୂଳକ କାର୍ଯ୍ୟ ରାଜ୍ୟରେ ହୋଇଛି ତାର ଚିଠା ଧରି ବିଜେଡି କରୁଛି ପ୍ରଚାର।

ପୂର୍ବ ବର୍ଷ ଅପେକ୍ଷା ଚଳିତ ନିର୍ବାଚନରେ ଓଡ଼ିଶାକୁ ଗୁରୁତର ସହ ନେଇଛି କେନ୍ଦ୍ରୀୟ ବିଜେପି। ଏଥର ବିଜେଡି ଓ ବିଜେପି ମଧ୍ୟରେ ଆରପାରର ଲଢେଇ ଦେଖିବାକୁ ମିଳୁଛି। ଘନ ଘନ ପ୍ରଚାର ପାଇଁ ବିଜେପିର ଟପ୍ ନେତାଙ୍କ ସୁଅ ଛୁଟୁଛି ରାଜ୍ୟରେ। ନିଜେ ପ୍ରଧାନମନ୍ତ୍ରୀ ବାରମ୍ବାର ଓଡ଼ିଶା ଆସୁଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହ, ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଏବଂ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଓଡ଼ିଶାରେ ଆସି ମାରାଥନ ପ୍ରଚାର କରୁଛନ୍ତି।

ସେହିପରି କଂଗ୍ରେସ ମଧ୍ୟ କେନ୍ଦ୍ରର ବିଜେପି ସରକାରର ବିଫଳତା ଓ ରାଜ୍ୟରେ ବିଜେଡି ସରକାରର ବିଫଳତା ପ୍ରସଙ୍ଗକୁ ମୁଦ୍ଦା କରି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରିଛି। ପୂର୍ବ ଅପେକ୍ଷା ଚଳିତ ନିର୍ବାଚନରେ କଂଗ୍ରେସ ପ୍ରଦର୍ଶନ ଭଲ ରହିବ ବୋଲି କଂଗ୍ରେସର ଶୀର୍ଷ ନେତୃତ୍ବ କହୁଛନ୍ତି। ଅଧିକାଂଶ ସ୍ଥାନରେ ବିଜେଡି ସହ କଂଗ୍ରେସର ପ୍ରତିଯୋଗିତା ହେଉଛି। ଦକ୍ଷିଣ, ପୂର୍ବ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କଡା ଟକ୍କର ଦେଇଛି ବୋଲି ଆକଳନ କରୁଛନ୍ତି ଦଳର ନେତା।

ତେବେ ଓଡ଼ିଶାରେ କିଏ ଗଢ଼ିବ ସରକାର। ଶାସକ ବିଜୁ ଜନତା ଦଳ ପୁଣିଥରେ ନବୀନଙ୍କ ନେତୃତ୍ବରେ ସରକାର ଗଠନ କରିବ ନା ଭାରତୀୟ ଜନତା ପାର୍ଟି ପ୍ରଥମଥର ସରକାର ଗଠନ କରିବ ନା କଂଗ୍ରେସ ଦୁଇ ଦଶନ୍ଧି ପରେ ସରକାର ଗଟନ କରିବ ତାହା ଜୁନ୍‌ ୪ ତାରିଖରେ ସ୍ପଷ୍ଟ ହୋଇଯିବ।

ସୂଚନାଥାଉକି, ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ତୃତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜ୍ୟରେ ମୋଟ୍ ୧୦ହଜାର ୫୫୧ ବୁଥ୍ କରାଯାଇଛି। ଏଥିରୁ ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ। ମତାଧିକାର ସାବ୍ୟସ୍ତ କରିବେ ୯୪ ଲକ୍ଷରୁ ଅଧିକ ଭୋଟର। ଏମାନଙ୍କ ଭିତରେ ଅଛନ୍ତି ୪୮ ଲକ୍ଷରୁ ଅଧିକ ପୁରୁଷ ଓ ୪୬ ଲକ୍ଷରୁ ଅଧିକ ମହିଳା ମତଦାତା। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.