ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଣତନ୍ତ୍ରର ମହାପର୍ବରେ ହେଲେ ସାମିଲ

ଓଏଲ୍ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ଦେଶର ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା, ୪୨ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି। ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତଦାନ ସାବ୍ୟସ୍ତ କରିଛନ୍ତି। ଏରୋଡ୍ରମ ୟୁପି ସ୍କୁଲର ୧୧୪ ନମ୍ବର ବୁଥରେ ମତଦାନ ସାବ୍ୟସ୍ତ କରିଛନ୍ତି।
ମତଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ସେ ଜନତାଙ୍କୁ ଭୋଟ ଦେବା ପାଇଁ ଅପିଲ କରିବା ସହ ଯୁବ ଭୋଟରଙ୍କୁ ଅଧିକ ମାତ୍ରାରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ଏହା ସେ କହିଛନ୍ତି, ରାଜ୍ୟରେ ବିଜୁ ଜନତା ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ। ଆମେ ରାଜ୍ୟରେ ସ୍ଥିର ସରକାର କରିବୁ। ବିଜେଡିର ବଡ଼ ବିଜୟ ହେବ। ଉଭୟ ବିଧାନସଭା ଓ ଲୋକସଭା ଆସନରେ ବିଜୁ ଜନତା ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି।
ସୂଚନା ଅନୁସାରେ, ଆଜି ରାଜ୍ୟର ୬ ଲୋକସଭା ଆସନ ଯଥା ପୁରୀ, ଭୁବନେଶ୍ବର, କଟକ, ଢେଙ୍କାନାଳ, ସମ୍ବଲପୁର ଏବଂ କେନ୍ଦୁଝର ଆସନରେ ମତଦାନ ସାବ୍ୟସ୍ତ କରିବେ ୯୪.୪୮ ଲକ୍ଷ ଭୋଟର। ସେମାନଙ୍କ ମଧ୍ୟରେ ପୁରୁଷ ୪୮.୩୦ଲକ୍ଷ, ମହିଳା ଭୋଟର ୪୬.୧୮ଲକ୍ଷ ଭୋଟର ରହିଛନ୍ତି। ମୋଟ୍ ୧୦,୫୫୧ଟି ବୁଥ୍ରେ ମତଦାନ ହେଉଛି। ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହାର ରେକର୍ଡ ହୋଇଛି। ଭୁବନେଶ୍ବରରେ ୬.୬୫%, କଟକରେ ୭.୩୨%, ଢେଙ୍କାନାଳରେ ୭.୯୫%, କେନ୍ଦୁଝରରେ ୮.୭୪%, ପୁରୀରେ ୬.୮୭%, ସମ୍ବଲପୁରରେ ୭.୦୯% ମତଦାନ ହାର ରେକର୍ଡ ହୋଇଛି।