Odisha Link
Bridging the Missing Links in Odisha

ଓଡ଼ିଶାରେ ସ୍ମୃତି ଇରାନୀଙ୍କ ପ୍ରଚାର, ମୋଦିଙ୍କ ଗ୍ୟାରେଣ୍ଟିକୁ ନେଇ ରଖିଲେ ଦୃଢ଼ୋକ୍ତି

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ଦେଶର ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା, ୪୨ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି। ସେହିଭଳି ଜୁନ ୧ରେ ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ନିର୍ବାଚନକୁ ନଜରରେ କେନ୍ଦ୍ରୀୟ ନେତୃତ୍ୱ ଗହନ ଘନ ଓଡିଶା ଗସ୍ତରେ ଆସୁଛନ୍ତି।

ତେବେ ଏହି କ୍ରମରେ ଆଜି ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାବେଳେ ପାରାଦୀପର କୁଜଙ୍ଗଠାରେ ସ୍ମୃତି ଇରାନୀଙ୍କ ପ୍ରଥମ ସଭାରେ ଯୋଗ ଦେଇ ଜନସଭାକୁ ସମ୍ବୋଧନ କରିଛନ୍ତି। ଜନସଭାରେ ଯୋଗ ଦେଇ ସ୍ମୃତି ଇରାନୀ କହିଛନ୍ତି, ଓଡ଼ିଶାରେ ଓଡ଼ିଆ ଭାଷା ସଂସ୍କୃତି ଆଧାରରେ ସରକାର ହେବାକୁ ଯାଉଛି। ଏଥର ଓଡ଼ିଶାରେ ଡବଲ ଇଂଜିନ ସରକାର ହେବାକୁ ଯାଉଛି। ଓଡ଼ିଶାର କଳା, ସଂସ୍କୃତିର ସୁରକ୍ଷା ପାଇଁ ବିଜେପି ସରକାର ଦରକାର ବୋଲି ସ୍ମୃତି ଇରାନୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ଏହା ସହ ବିରୋଧୀଙ୍କୁ ଟାର୍ଗେଟ କରି ସ୍ମୃତି ଇରାନୀ କହିଛନ୍ତି, ନବୀନ ବାବୁ ଓଡ଼ିଆ ଅସ୍ମିତାର ତଣ୍ଟିଚିପିବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେନି। ଓଡ଼ିଶାର ଶାସନ ଓଡ଼ିଶାର ସନ୍ତାନ ହିଁ କରିବେ। ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ। ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ପ୍ରଧାନମନ୍ତ୍ରୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ। ସାରା ଦେଶରେ ଓଡ଼ିଶା ସମୃଦ୍ଧ, ଓଡ଼ିଶା ଲୋକ କିନ୍ତୁ ଗରିବ। ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟି ଚାଲିଛନ୍ତି। ଓଡ଼ିଶାରେ ସବୁ ଅଛି, କିନ୍ତୁ ଗୋଟିଏ ଜିନିଷ ହିଁ କେବଳ ଅଭାବ। ଓଡ଼ିଶା ପାଇଁ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାନ୍ତି।

କଥା ଦେଉଛି, ବିଜେପି ସରକାରରେ ଓଡ଼ିଶା ପାଇଁ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ। ନବୀନ ସରକାର, ଖାଲି ଅଖାର ସରକାର। ମୋଦି ଚାଉଳ ଦେଉଛନ୍ତି, ନବୀନ ବାବୁ ଫଟୋ ଲଗା ଅଖା ଦେଉଛନ୍ତି। ଖାଲି ଅଖାରେ ପେଟ ପୁରେନି, ଯଦି ଦେବା କଥା ଚାଉଳ ଦିଅନ୍ତୁ। ରତ୍ନଭଣ୍ଡାର ଚାବି ହଜିଲାଣି, ନକଲି ଚାବି ବାହାରିଲାଣି। ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ହିସାବ ଖୁଲାସା ହେବ। ରତ୍ନ ଭଣ୍ଡାର ରିପୋର୍ଟକୁ ବିଜେପି ଆସିଲେ ସାର୍ବଜନୀନ କରିବ ବୋଲି ସ୍ମୃତି ଇରାନୀ କହିଛନ୍ତି।

Leave A Reply

Your email address will not be published.