ଭୀଷଣ ବାତ୍ୟା ରୂପନେଲା ‘ରେମାଲ’, ଆଜି ରାତିରେ କରିବ ଲ୍ୟାଣ୍ଡଫଲ୍
ଓଏଲ୍ ବ୍ୟୁରୋ: ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ରେମାଲ’। ଏହାର ପ୍ରଭାବ ପଶ୍ଚିମବଙ୍ଗ ଉପରେ ବିଶେଷ ଭାବେ ପଡ଼ିବ। ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୂରରେ ଦକ୍ଷିଣ-ଦକ୍ଷିଣ-ପୂର୍ବରେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହି ମନ୍ଥର ଗତିରେ ଆଗକୁ ବଢୁଛି।ଏହା ଉତ୍ତର ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ଆହୁରି ଶକ୍ତିଶାଳୀ ହେବ।
ସନ୍ଧ୍ୟା ସୁଦ୍ଧା ଏହି ଭୀଷଣ ବାତ୍ୟା ବାଂଲାଦେଶ ଏବଂ ପଶ୍ଚିମବଙ୍ଗର ଉପକୂଳ ମଧ୍ୟବର୍ତ୍ତୀ ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ ଏବଂ ଝଟକା ପବନ ୧୩୫ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ସମୁଦ୍ରରେ ୧.୫ ମିଟର ଉଚ୍ଚରେ ଜୁଆର ହେବାର ସମ୍ଭାବନା ରହିଛି।
ବାତ୍ୟା ନେଇ ପଶ୍ଚିମବଙ୍ଗରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲାକୁ ପ୍ରଶାସନ ସତର୍କ କରିଛି। ସାମୟିକ ଭାବେ ବିମାନ ଓ ରେଳ ଚଳାଚଳ ବନ୍ଦ ରଖାଯାଇଛି। ଦୀଘା ସମୁଦ୍ରକୂଳରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଉଦ୍ଧାରକାର୍ଯ୍ୟ ପାଇଁ ୧୨ଟି ଏନଡିଆରଏଫ ଟିମ୍ ମୁତୟନ ଅଛନ୍ତି।
ଓଡ଼ିଶାବାସୀଙ୍କ ପାଇଁ ସବୁଠୁ ବଡ଼କଥା ହେଲା ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ। ଏହା ପ୍ରଭାବରେ ଆଜି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।