ବେବି କେୟର ସେଣ୍ଟରରେ ଅଗ୍ନିକାଣ୍ଡ, ଚାଲିଗଲା ୭ ନବଜାତ ଶିଶୁଙ୍କ ଜୀବନ
ଓଏଲ୍ ବ୍ୟୁରୋ: ଶନିବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ଘଟିଛି ଦୁର୍ଘଟଣା। ଏକ ବେବି କେୟର ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ୭ ଜଣ ଶିଶୁଙ୍କ ଜୀବନ ଚାଲିଯାଇଛି। ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୧୨ ଜଣ ଶିଶୁଙ୍କୁ ଡାକ୍ତରଖାନାରୁ ଉଦ୍ଧାର କରାଯାଇଥିଲା। ତେବେ ସେଥିରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଶିଶୁମାନଙ୍କ ଚିକିତ୍ସା ଜାରି ରହିଛି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାର କାରଣ ସ୍ପଷ୍ଟ ହୋଇ ନାହିଁ। ଘଟଣାର ତଦନ୍ତ ଚାଲିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରଥମେ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା, ଏହାପରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ସିଲିଣ୍ଡର ବିସ୍ଫୋରଣ ହେତୁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି। ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ, ଶନିବାର ରାତି ୧୧.୩୨ ସମୟରେ ବିବେକ ବିହାରରେ ଅବସ୍ଥିତ ବେବିକେୟାର ହସ୍ପିଟାଲରେ ନିଆଁ ଲାଗିଥିହା ସମ୍ପର୍କରେ ସୂଚନା ମିଳିଥିଲା । ପ୍ରାୟ ଏକ ଘଣ୍ଟା କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।