ପ୍ରକାଶ ପାଇଲା ଦଶମ ପରୀକ୍ଷାଫଳ, ପାସ୍ ହାର ୯୬.୦୭ ପ୍ରତିଶତ
![](https://www.odishalink.com/wp-content/uploads/2024/05/BSE-Odisha-750x430.jpg)
ଓଏଲ୍ ବ୍ୟୁରୋ: ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ। ସକାଳ ୯ଟାରେ ପ୍ରଥମେ ପରୀକ୍ଷା ପରିଚାଳନା କମିଟିର ବୈଠକ ବସି ଫଳ ଉପସ୍ଥାପନ କରାଯାଇଥିଲା। ଏହାପରେ ଦିନ ସାଢ଼େ ୧୦ଟାରେ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି ଫଳାଫଳ। ବୋର୍ଡ କାର୍ଯ୍ୟାଳୟରେ ପରୀକ୍ଷାଫଳ ପ୍ରକାଶ ପାଇବାର ଘଣ୍ଟାଏ ପରେ ଅର୍ଥାତ୍ ସାଢ଼େ ୧୧ଟାରେ ପରୀକ୍ଷାର୍ଥୀମାନେ ଅନଲାଇନରେ ଦେଖିପାରିବେ ପରୀକ୍ଷାଫଳ। ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ଚଳିତ ଥର ମଧ୍ୟ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରୀଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଛି।
ୱେବସାଇଟ www.bscodisha.ac.inରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ। ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ମୋବାଇଲ ଫୋନରେ ମେସେଜ୍ କଲେ ମଧ୍ୟ ପାଇପାରିବେ ରେଜଲ୍ଟ। ଏଥିପାଇଁ OR10 ସ୍ପେଶ୍ ROLL NUMBER ଲେଖି 5676750କୁ SMS କଲେ ମୋବାଇଲରେ ପହଞ୍ଚିଯିବ ରେଜଲ୍ଟ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ରେଜଲ୍ଟ ଘୋଷଣାର ୬ ଘଣ୍ଟା ପରେ ଅର୍ଥାତ୍ ଅପରାହ୍ନ ୪ଟା ବେଳକୁ ଅନଲାଇନ ଏବଂ ହ୍ବାଟ୍ସଆପରେ ଛାତ୍ରଛାତ୍ରୀ ଡିଜିଟାଲ ମାଟ୍ରିକ ପ୍ରମାଣପତ୍ର ପାଇପାରିବେ। ଏଥିପାଇଁ BSE/Hi ଲେଖି 77100-58192 ନମ୍ବରରେ ହ୍ବାଟ୍ସଆପ୍ କରିପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।