ଟି-୨୦ ବିଶ୍ବକପ୍ ୨୦୨୪: ଚିନ୍ତାରେ ଅଷ୍ଟ୍ରେଲିଆ ଟିମ୍ , ସହଯୋଗୀ ଷ୍ଟାଫ୍ କରିବେ ଫିଲ୍ଡିଂ

ଓଏଲ୍ ବ୍ୟୁରୋ: ଜୁନ୍ ପହିଲାରୁ ଆରମ୍ଭ ହେବ ଟି-୨୦ ବିଶ୍ବକପ୍ ୨୦୨୪। ଏଥିପାଇଁ ସମସ୍ତ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଚଳିତ ବର୍ଷ ବିଶ୍ବକପ୍ରେ ୨୦ଟି ଟିମ୍ ଭାଗ ନେଇଛନ୍ତି। ବିଶ୍ବକପ୍ ଫାଇଟ୍ ପୂର୍ବରୁ ପ୍ରଥମେ ଅଭ୍ୟାସ୍ ମ୍ୟାଚ୍ ଖେଳାଯିବ। ଯାହାର ଆରମ୍ଭ ଆଜିଠୁ ହୋଇଛି। ଜୁନ୍ ୧ ତାରିଖରେ ଶେଷ ଓ୍ବାର୍ମଅପ୍ ମ୍ୟାଚ୍ ଖେଳାଯିବ। ଯାହା ଭାରତ ଓ ବାଂଲାଦେଶ ବିପକ୍ଷରେ ଖେଳାଯିବ। ଏସବୁ ମଧ୍ୟରେ ଅଷ୍ଟ୍ରେଲିଆ ଦଳ ସଙ୍କଟରେ ପଡ଼ିଛି। ଅଷ୍ଟ୍ରେଲିଆ ବିଶ୍ବକପ୍ ପୂର୍ବରୁ ୨ଟି ଅଭ୍ୟାସ ମ୍ୟାଚ୍ ଖେଳିବ। ହେଲେ ପ୍ରଥମ ଅଭ୍ୟାସ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଦଳରେ ୧୧ ଜଣ ଖେଳାଳି ନାହାନ୍ତି। ଯାହା ଟିମ୍ ମ୍ୟାନଜେମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି।
୨୮ ତାରିଖରେ କଙ୍ଗାରୁ ବାହିନୀ ତାର ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟିମ୍ ସହିତ ଯୋଡ଼ି ହୋଇଥିବା ସହଯୋଗୀ ଷ୍ଟାଫ ନଜର ଆସି ପାରନ୍ତି। ଏପରିକି ପଡ଼ିଆରେ ଫିଲ୍ଡିଂ କରିପାରନ୍ତି। ହେଲେ ସେମାନେ ବୋଲିଂ କିମ୍ବା ବ୍ୟାଟିଂ କରିବେ ନାହିଁ। ଏପରିକି ଯେଉଁ ଖେଳାଳି ରିଜର୍ଭ ଭାବେ ଟିମ୍ ସହିତ ଅଛନ୍ତି ସେମାନେ ଅଭ୍ୟାସ ମ୍ୟାଚରେ ଉପଲବ୍ଧ ହୋଇ ପାରିବେ ନାହିଁ। ଏହି କାରଣରୁ ଅଷ୍ଟ୍ରେଲିଆ ଦଳ ସହଯୋଗୀ ଷ୍ଟାଫଙ୍କ ଆବଶ୍ୟତକା ପଡ଼ିବ।
ରିପୋର୍ଟ ମୁତାବକ, ପ୍ରଥମ ଅଭ୍ୟାସ ମ୍ୟାଚ ପାଇଁ ଅଷ୍ଟ୍ରେଲିଆର ୮ଜଣ ଖେଳାଳି ଉପଲବ୍ଧ ହୋଇ ପାରିବେ। କାରଣ ଆହୁରି କିଛି ଖେଳାଳି ତ୍ରିନିଦାଦ ପହଞ୍ଚିନାହାନ୍ତି ଓ ଆଉ କିଛି ଖେଳାଳି ଆଇପିଏଲ୍ ଫାଇନାଲ ମୁକାବିଲା ଖେଳୁଥିଲେ। ସେହି କାରଣରୁ ସେ ଟିମ୍ ସହିତ ଯୋଡ଼ି ହୋଇ ପାରି ନାହାନ୍ତି। ତେବେ ମେ’ ୩୦ ତାରିଖରେ ଦଳ ଦ୍ବିତୀୟ ଓ୍ବାର୍ମ ଅପ୍ ମ୍ୟାଚ୍ ଖେଳିବ। ସେହି ସମୟରେ ସମସ୍ତ ଖେଳାଳି ଉପଲବ୍ଧ ଥିବେ ବୋଲି ସୂଚନା ରହିଛି।