ଶ୍ରୀମନ୍ଦିରରେ ପହଁଚିଲା ୩ କ୍ୱିଣ୍ଟାଲ୍ ବାସୁଙ୍ଗା ପାଟ

ପୁରୀ: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ନୀତି ହେବ। ଅର୍ଥାତ୍ ଜୁନ୍ ୨୨ ତାରିଖରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଆରମ୍ଭ କରି ସାରିଛି ପ୍ରସ୍ତୁତି। ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜିଉଙ୍କ ଅଣସର ନୀତି ଅନୁଷ୍ଠିତ ହେବ। ଏହି ଗୁପ୍ତ ନୀତି ପାଇଁ ଆବଶ୍ୟକ ଦ୍ରବ୍ୟ ଅଣାଯାଇଛି। ଏଥିମଧ୍ୟରୁ ବାସୁଙ୍ଗା ପାଟ ଘଣା ଲାଗି ସମୟରେ ଆବଶ୍ୟକ ଥିବାରୁ ଆଜି ଏହି ପାଟକୁ ଆଣାଯାଇଛି। ମୋଟ ୩ କ୍ବିଣ୍ଟାଲ ବାସୁଙ୍ଗା ପାଟ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଛି।
ଆଜି କଟକ ତିଗିରିଆର ନୂଆପାଟଣା ଅଞ୍ଚଳରୁ ଏକ ଗାଡି ଯୋଗେ ଏହି ପାଟ ଅଣାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣାର ଟସର ବ୍ୟବସାୟୀଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ବାସୁଙ୍ଗା ପାଟ ଲାଗି ବରାଦ ଦିଆଯାଇଥିଲା। ପୂର୍ବରୁ ଏହି ପାଟର ସାମ୍ପୁଲ ଚିହ୍ନଟ ଲାଗି ବାଡ଼ଗ୍ରାହୀ ସେବକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସଂପୃକ୍ତ ପାଟର ମାନ ଅନୁଧ୍ୟାନ କରିବା ପରେ ପ୍ରଶାସନ କିଣିବା ଲାଗି ବରାଦ ଦେଇଥିଲା। ତାହା ଆଜି ଶ୍ରୀ କ୍ଷେତ୍ରରେ ପହଁଚିଛି।