Odisha Link
Bridging the Missing Links in Odisha

କାନ୍ସରେ ଇତିହାସ ରଚିଲା ପାୟଲ କାପାଡ଼ିଆଙ୍କ ଫିଲ୍ମ, ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: କାନ୍ସରେ ଇତିହାସ ରଚିଲା ଭାରତ। ୭୭ତମ କାନ୍ସ ଫିଲ୍ମ ସମାରୋହରେ ଭାରତର ପ୍ରଦର୍ଶନ ଅଭୂତପୂର୍ବ ରହିଛି, ଯେଉଁଥିରେ ୨ ଜଣ ଚଳଚ୍ଚିତ୍ର ନିର୍ମାତା, ଜଣେ ଅଭିନେତ୍ରୀ ଏବଂ ଜଣେ ସିନେମାଟୋଗ୍ରାଫର ବିଶ୍ୱର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବରେ ଶୀର୍ଷ ପୁରସ୍କାର ଜିତିଛନ୍ତି। ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାୟଲ କପାଡିଆଙ୍କ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍‌’ ନାମକ ଏକ ଭାରତୀୟ ଚଳଚ୍ଚିତ୍ର, ଯାହା କି ଦୁଇ ଜଣ ନର୍ସଙ୍କ ଜୀବନ ଉପରେ ଆଧାରିତ, ତାହା ଉତ୍ସବର ସର୍ବୋଚ୍ଚ ପୁରସ୍କାର ପାଲମେ ଡି’ଅର୍ ପାଇଁ ମନୋନୀତ ହୋଇଥିଲା।

ଏହି ବର୍ଗରେ ଦ୍ୱିତୀୟ ସ୍ଥାନରେ ଥିବା କାପାଡିଆଙ୍କ ଫିଲ୍ମ ଗ୍ରାଣ୍ଡ ପ୍ରିକ୍ସରେ ବିଜୟୀ ହୋଇଥିଲା। ଏହି ବିଜୟ ସହ ଏଫଟିଆଇଆଇର ପୂର୍ବତନ ଛାତ୍ରୀ ପାୟଲ କାପାଡିଆ ପ୍ରଥମ ଭାରତୀୟ ଭାବେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି। ୩୦ ବର୍ଷ ତଳେ ଶାଜି ଏନ୍ କରୁଣଙ୍କ ‘ସ୍ୱାହମ’ ସର୍ବୋଚ୍ଚ ସମ୍ମାନ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଏତେ ବର୍ଷ ପରେ କାପାଡିଆ ପୁରସ୍କୃତ ହୋଇଛନ୍ତି। ଏହା ପରେ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ପାୟଲ କପାଡିଆଙ୍କୁ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍‌’ ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। https://x.com/Naveen_Odisha/status/1794620032330137755

ସୂଚନା ଅନୁସାରେ, ଭାରତ ଓ ଫ୍ରାନ୍ସ ମଧ୍ୟରେ ସ୍ୱାକ୍ଷରିତ ଅଡିଓ-ଭିଜୁଆଲ ଚୁକ୍ତି ଅନୁଯାୟୀ ପାୟଲଙ୍କ ଫିଲ୍ମକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅଧିକାରିକ ରୂପରେ ଭାରତ- ଫ୍ରାନ୍ସ ସହ-ନିର୍ମାଣ ମାନ୍ୟତା ମିଳିଥିଲା। ମନ୍ତ୍ରଣାଳୟ ଦ୍ୱାରା ମହାରାଷ୍ଟ୍ର (ରତ୍ନଗିରି ଏବଂ ମୁମ୍ବାଇ)ରେ ଚଳଚ୍ଚିତ୍ରର ସୁଟିଂ ପାଇଁ ଅନୁମତି ମଧ୍ୟ ପ୍ରଦାନ କରାଯାଇଥିଲା। ସରକାରୀ ସହ-ପ୍ରଯୋଜନା ପାଇଁ ଭାରତ ସରକାରଙ୍କ ପ୍ରୋତ୍ସାହନ ଯୋଜନା ଅଧୀନରେ ଯୋଗ୍ୟ ସହ-ପ୍ରଯୋଜନା ଖର୍ଚ୍ଚର ୩୦ ପ୍ରତିଶତ ପାଇଁ ଚଳଚ୍ଚିତ୍ରଟି ଅନ୍ତରୀଣ ଅନୁମୋଦନ ପାଇଥିଲା।

ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଛାତ୍ର ଚିଦାନନ୍ଦ ଏସ୍ ନାଏକ କନ୍ନଡ଼ ଲୋକକଥା ଉପରେ ଆଧାରିତ ୧୫ ମିନିଟର କ୍ଷୁଦ୍ର ଚଳଚ୍ଚିତ୍ର ‘ସନ୍‌ଫ୍ଲାୱାର୍ସ ୱେୟାର ଦି ଫାଷ୍ଟ ୱାନ୍ସ ଟୁ ନୋ’ ପାଇଁ ଲା ସିନେଫ୍ ବିଭାଗରେ ପ୍ରଥମ ପୁରସ୍କାର ହାସଲ କରିଛନ୍ତି। ଏହି ଏଫଟିଆଇଆଇ ଫିଲ୍ମ ଏଫ୍‌ଟିଆଇଆଇର ଟିଭି ୱିଙ୍ଗର ଏକ ବର୍ଷିଆ କାର୍ଯ୍ୟକ୍ରମର ପ୍ରଯୋଜନା, ଯେଉଁଥିରେ ବିଭିନ୍ନ ବିଭାଗ ଯଥା ନିର୍ଦ୍ଦେଶନା, ଇଲେକ୍ଟ୍ରୋନିକ୍ ସିନେମାଟୋଗ୍ରାଫି, ଏଡିଟିଂ, ସାଉଣ୍ଡର ୪ ଜଣ ଛାତ୍ରଛାତ୍ରୀ ବର୍ଷ ଶେଷ ସମନ୍ୱିତ ଅଭ୍ୟାସ ଭାବରେ ଗୋଟିଏ ପ୍ରୋଜେକ୍ଟ ପାଇଁ ଏକାଠି କାମ କରିଥିଲେ।

୨୦୨୨ରେ ଏଫଟିଆଇଆଇରେ ଯୋଗ ଦେବା ପୂର୍ବରୁ ଚିଦାନନ୍ଦ ଏସ୍ ନାଏକ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ରେ ସିନେମା କ୍ଷେତ୍ରରେ ଉଦୀୟମାନ ଯୁବ କଳାକାରମାନଙ୍କୁ ସ୍ୱୀକୃତି ଓ ସମର୍ଥନ ପ୍ରଦାନ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଉଦ୍ଦିଷ୍ଟ ଏକ ପଦକ୍ଷେପ କ୍ରିଏଟିଭ୍ ମାଇଣ୍ଡ୍‌ରେ ୭୫ଜଣଙ୍କ ମଧ୍ୟରୁ ଜଣେ ଭାବେ ମନୋନୀତ ହୋଇଥିଲେ । ସୂଚନାଯୋଗ୍ୟ, ଭାରତରେ ଜନ୍ମିତ ମାନସୀ ମାହେଶ୍ୱରୀଙ୍କ ‘ବନିହୁଡ୍‌’ ନାମକ ଏକ ଆନିମେଟେଡ୍ ଚଳଚ୍ଚିତ୍ର ଲା ସିନେଫ୍ ସିଲେକ୍ସନରେ ତୃତୀୟ ପୁରସ୍କାର ହାସଲ କରିଛି।

Leave A Reply

Your email address will not be published.