ଅଯୋଧ୍ୟା ରାମ ମନ୍ଦିରକୁ ମୋବାଇଲ ମନା; ଟ୍ରଷ୍ଟ ପକ୍ଷରୁ ଜାରି ହେଲା ନିୟମ
ଓଏଲ୍ ବ୍ୟୁରୋ: ଭିଆଇପି ହୁଅନ୍ତା ବା ସାଧାରଣ ଜନତା ସଭିଁଙ୍କ ପାଇଁ ନୂଆ ନିୟମ ଲାଗୁ କରିଛି ଶ୍ରୀରାମ ମନ୍ଦିର ପ୍ରଶାସନ। ମନ୍ଦିର ପରିସରରେ ମୋବାଇଲ ଫୋନ୍ ନିଷେଧ କରାଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶନିବାର ଏନେଇ ନିଷ୍ପତ୍ତି ନିଆଯାଇଛି। ଲୋକମାନେ ଧାର୍ମିକ ସ୍ଥାନମାନଙ୍କରେ ରିଲ୍ସ କରି ମର୍ଯ୍ୟାଦା ନଷ୍ଟ କରି ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କିଛି ଧାର୍ମିକ ସ୍ଥାନମାନଙ୍କରେ ମୋବାଇଲ ଫୋନ ବାରଣ କରାଯାଇଛି। ଏବେ ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ଫୋନ୍ ନେବା ନିଷେଧ କରାଯାଇଛି।
ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିୟମ ଲାଗୁ କରାଯାଇଛି। ସମସ୍ତ ଭକ୍ତଙ୍କୁ ଏହି ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି। ରାମ ମନ୍ଦିର ପରିଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ମୋବାଇଲ ଫୋନ୍ ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। ଭକ୍ତମାନେ ଲକର୍ ସୁବିଧା ପାଇବେ। ଏଥିରେ ସେମାନେ ନିଜର ମୋବାଇଲ୍ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଓ ଲଗେଜ ରଖିପାରିବେ।
କିଛିଦିନ ତଳେ ଉତ୍ତରାଖଣ୍ଡର କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ମନ୍ଦିର ଭିତରକୁ ଭକ୍ତମାନେ ମୋବାଇଲ ଫୋନ୍ ନେଇ ଯାଇପାରିବେ ନାହିଁ ବୋଲି କଟକଣା ଲାଗୁ କରାଯାଇଥିଲା। ଏହା ପରେ ଏବେ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଅଯୋଧ୍ୟା ରାମ ମନ୍ଦିରକୁ ମୋବାଇଲ ବାରଣ କରାଯାଇଛି।