କାହାର ହେବ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର?
ଓଏଲ୍ ବ୍ୟୁରୋ: ଆସନ୍ତା ଜୁନ ୧ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ମୟୂରଭଞ୍ଜ ଲୋକସଭା ମଧ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ବ୍ୟାପକ ରଣନୀତି ସହ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଜୋରଦାର କରିଛି। ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଅଧିନସ୍ତ ୭ ବିଧାନସଭା ଆସନରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ତରଫରୁ ବ୍ୟାପକ ରଣନୀତି ସହ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଚାଲିଛି। ତେବେ ଏହି ସଂସଦୀୟ କ୍ଷେତ୍ରରେ ୩ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି। ବିଜେଡି ପାଇଁ ସୁଦାମ ମାର୍ଣ୍ଡି, ବିଜେପି ବିଶେଶ୍ବର ଟୁଡୁଙ୍କ ବଦଳରେ ନବ ଚରଣ ମାଝୀ ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ ହୋଇଥିବାବେଳେ ଜେଏମ୍ଏମ୍ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନୀ ସୋରେନଙ୍କୁ ପ୍ରାର୍ଥୀ କରିଛି।
ବିଜେପି ପ୍ରାର୍ଥୀ ନବଚରଣ ମାଝି ଓ ବିଜେଡି ପ୍ରାର୍ଥୀ ସୁଦାମ ମାର୍ଣ୍ଡିଙ୍କୁ ଟକ୍କର ଦେବାକୁ ଜେଏମଏମ ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନଙ୍କୁ ପ୍ରାର୍ଥୀ ହୋଇଛନ୍ତି। ଏଥର ମୟୂରଭଞ୍ଜ ଲୋକସଭା ଆସନରେ ଜୋରଦାର ଫାଇଟ ଦେଖିବାକୁ ମିଳିଛି। ଦ୍ବିତୀୟ ଥର ପାଇଁ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ଅଞ୍ଜନୀ ସୋରେନ। ୨୦୧୯ ସାଧାରଣ ନିର୍ବାଚନରେ ଅଞ୍ଜନି ସୋରେନ ମୟୂରଭଞ୍ଜ ଲୋକସଭା ଆସନରୁ ଜେଏମ୍ଏମ୍ ପ୍ରାର୍ଥୀ ଭାବରେ ଲଢିଥିଲେ।
ସେ ୧,୩୫,୫୫୨ ଭୋଟ ପାଇ ତୃତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ। ବିଜେପିର ବିଶେଶ୍ବର ଟୁଡୁ ୪ ଲକ୍ଷ ୮୩ ହଜାର ୮୧୨ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ୪ ଲକ୍ଷ ୩୫ ହଜାର ୫୫୬ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ୨୦୧୯ ରେ ମୟୂରଭଞ୍ଜ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଦେଇନଥିଲା। ୨୦୧୪ ଲୋକସଭା ନିର୍ବାଚନରେ ମୟୂରଭଞ୍ଜରୁ ଦେବାଶିଷ ମାରାଣ୍ଡିଙ୍କୁ ପ୍ରାର୍ଥୀ କରିଥିଲା ଜେଏମଏମ। ୧୭୨୯୮୫ ଭୋଟ ପାଇଁ ଦଳ ତୃତୀୟ ସ୍ଥାନରେ ରହିବା ସହ ପରଜାତି ହୋଇଥିଲା। ବିଜେଡିର ରାମଚନ୍ଦ୍ର ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିଲେ।
ସେହିଭଳି ୨୦୦୯ ଲୋକସଭା ନିର୍ବାଚନରେ ଜେଏମଏମରୁ ସୁଦାମ ମାରାଣ୍ଡି ପ୍ରାର୍ଥୀ ହୋଇଥିଲେ। ୧,୯୦,୪୭୦ ପାଇଁ ଦ୍ବିତୀୟ ସ୍ଥାନରେ ରହି ପରାଜିତ ହୋଇଥିଲେ। ବିଜେଡିର ଲକ୍ଷ୍ମଣ ଟୁଡୁ ସେହି ସମୟରେ ବିଜୟୀ ହୋଇଥିଲେ। ହେଲେ ଏଥର ମୟୂରଭଞ୍ଜ ଲୋକସଭା ଆସନ ହାତେଇବା ପାଇଁ ବିଜେଡିର ବରିଷ୍ଠ ନେତା ସୁଦାମ ମାରାଣ୍ଡି ଓ ବିଜେପିର ନବଚରଣ ମାଝୀ ଜୋର୍ଦାର୍ ପ୍ରଚାର ଚଳାଇଛନ୍ତି। ଏଥର ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଦ୍ବିମୁଖୀ ଲଢ଼େଇ ଜାରି ରହିଥିଵାବେଳେ ଜେଏମ୍ଏମ୍ରୁ ପ୍ରାର୍ଥୀ ହୋଇଥିବା ଅଞ୍ଜନୀ ସୋରେନ ନିର୍ବାଚନରେ ଜୋର୍ଦାର୍ ପ୍ରଚାର ଚଳାଇଛନ୍ତି। ତେଣୁ ଜେଏମ୍ଏମ୍ର ରାଜନୈତିକ ଗତିବିଧି ଉପରେ ଉଭୟ ବିଜେଡି ଓ ବିଜେପି ନଜର ରଖିଛନ୍ତି। ତେବେ ମୟୂରଭଞ୍ଜ ବାସିନ୍ଦା କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା ।