ତାଣ୍ଡବ ରଚିଲା ବାତ୍ୟା; ଚାଲିଗଲା ୧୬ ଜୀବନ, ୩୦ ହଜାର ଘର ନିଶ୍ଚିହ୍ନ

ଓଏଲ୍ ବ୍ୟୁରୋ: ଦୁର୍ବଳ ହୋଇଛି ବାତ୍ୟା ‘ରେମାଲ’। ହେଲେ ଛାଡ଼ିଯାଇଛି ଦୁଃଖର ଛାପ। ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ରେମାଲ ରବିବାର ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁଛି। ଏହି ଝଡ଼ ପ୍ରଭାବରେ ବାଂଲାଦେଶରେ ୧୬ ଜଣ ପ୍ରାଣ ହରାଇଥିବାବେଳେ ୩୦ ହଜାର ବାସଗୃହ ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି। ପଶ୍ଚିମବଙ୍ଗରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଂଙ୍ଗଲାଦେଶରେ ୧୦ ଜଣଙ୍କ ଜୀବନ ଯାଇଛି। କୋଲକତାରେ ଜଣେ, ଦକ୍ଷିଣ ୨୪ ପ୍ରଗଣା ଜିଲାରେ ଦୁଇ ଜଣ ମହିଳା, ଉତର ୨୪ ପ୍ରଗଣାରେ ଜଣେ, ପୂର୍ବ ମେଦିନିପୁରରେ ବାପା ଓ ପୁଅଙ୍କର ମୃତ୍ୟୁ ହୋଇଛି।
ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ୧୧୦ରୁ ୧୩୫ କିଲୋମିଟର ବେଗରେ ପବନ ବହିଥିଲା। ଯେଉଁମାନେ ଏହି ସମୟରେ ବାହାରେ ଥିଲେ ଅବା ମାଟି ଘରେ ରହିଥିଲେ ସେମାନେ ପ୍ରଭାବିତ ହୋଇଛନ୍ତି। ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ରେମାଲ। ବାତ୍ୟା ପାଇଁ ୧୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ବାତ୍ୟା ଦୁର୍ବଳ ହେବା ପରେ କୋଲକାତା ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ପରିସ୍ଥତିର ସମୀକ୍ଷା କରିବା ସହ ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି ବୋଲି କହିଛନ୍ତି। ତେବେ ନିର୍ବାଚନ ଆଚରଣବିଧି ଉଠିବା ପରେ ତୁରନ୍ତ କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମମତା ବାନାର୍ଜୀ କହିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ପୁନଃ ସଂଯୋଗ ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ବାଂଲାଦେଶ ରୁରାଲ ଇଲେକ୍ଟ୍ରିଫିକେସନ ବୋର୍ଡ ମୁଖ୍ୟଯନ୍ତ୍ରୀ ବିଶ୍ବନାଥ ସିକ୍ଦାର ଗଣମାଧ୍ୟମକୁ ଜଣାଇଛନ୍ତି। ସମୁଦ୍ର ଏବେ ମଧ୍ୟ ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ଅନୁମତି ପ୍ରଦାନ କରାଯାଇନାହିଁ।