ଓଡ଼ିଆ ମୁଖ୍ୟମନ୍ତ୍ରୀ ବାଛନ୍ତୁ, ଦାଦନ ଯିବାକୁ ପଡ଼ିବନି: ଅମିତ ଶାହ
![](https://www.odishalink.com/wp-content/uploads/2024/05/Amit-Shah-1-750x430.jpg)
ଓଏଲ୍ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ଜୋରଦାର ଉଦ୍ୟମ କରୁଥିବାବେଳେ ବିଜେପି ଫୋକସରେ ଓଡିଶା ରହିଛି। ଏସବୁ ଭିତରେ ପୁଣି ଥରେ ଓଡିଶା ଗସ୍ତରେ ଆସିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।
ଆଜି କୋରେଇରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାର କରିଛନ୍ତି। ବିଶାଳ ଜନସଭାକୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି, ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ବିଜେପି ୩୧୦ ଆସନ ଜିତିସାରିଲେଣି। ଷଷ୍ଠ ଓ ୭ମ ପର୍ଯ୍ୟାୟରେ ଏହି ଆସନ ସଂଖ୍ୟା ୪୦୦ ଟପିବ। ସପ୍ତମ ପର୍ଯ୍ୟାୟ ଶେଷ ସୁଦ୍ଧା ଚାର୍ଶୋ ପାର୍ କରିବାକୁ ପଡ଼ିବ। ଓଡ଼ିଶାର ଅସ୍ମିତା ବଞ୍ଚାଇବା କି ନାହିଁ ପଚାରିଛନ୍ତି।
୪ ଜୁନରେ ନବୀନ ପଟ୍ଟନାୟକ ପୂର୍ବ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ହେବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ କହୁଥିବେ, ଯୁବକ ଥିବେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ହୋଇଥିବେ। ୨୫ ବର୍ଷ ପରେ ଓଡ଼ିଆ ଲେଖୁଥିବା ଓ ଓଡ଼ିଆ ଭାଷା କହୁଥିବା ମୁଖ୍ୟମନ୍ତ୍ରୀ ପାଇବ ଓଡ଼ିଶା। ଓଡ଼ିଶାର ଶାସନ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚଲାଇବା ଉଚିତ ନା ତାମିଲ ବାବୁ ଚଲାଇବା ଉଚିତ। ଏହି ନିର୍ବାଚନ ଓଡ଼ିଆ ଅସ୍ମିତାର ନିର୍ବାଚନ। ଓଡ଼ିଆ ଭାଷା, ସାହିତ୍ୟ, କଳା, ସ୍ୱାଭିମାନର ନିର୍ବାଚନ। ପରଦା ପଛରେ ରହି କେହି ତାମିଲ ବାବୁ ଓଡ଼ିଶାର ଶାସନ ଚଲାଇବାକୁ ଗ୍ରହଣ କରିବା ଉଚିତ୍ କି ବୋଲି ପ୍ରଶ୍ନ କରିଛନ୍ତି ଅମିତ ଶାହ।
ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଆ ମୁଖ୍ୟମନ୍ତ୍ରୀ ବାଛନ୍ତୁ, ଦାଦନ ଯିବାକୁ ପଡ଼ିବନି। ପଦ୍ମ ଫୁଲରେ ମୋହର ମାରିଲେ ଏଠାକାର ଜନସେବକ ଓଡ଼ିଶାର ଶାସନ କରିବ। ଓଡ଼ିଶା ଦେଶର ସବୁଠୁ ସମୃଦ୍ଧ ରାଜ୍ୟ। ପ୍ରାକୃତିକ ସମ୍ପଦରେ ଭରପୂର ଥିବା ସମୃଦ୍ଧ ଓଡ଼ିଶାର ଲୋକ ଗରିବ। ଏଥିପାଇଁ କେବଳ ଆଉ କେବଳ ନବୀନ ପଟ୍ଟନାୟକ ହିଁ ଦାୟୀ। ଓଡ଼ିଶାର ଯୁବବର୍ଗ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି।
ବିଜେପି ସରକାରରେ ଓଡ଼ିଶାର ଯୁବବର୍ଗ ଓଡ଼ିଶାରେ ହିଁ କାମ କରିବେ। ଚିଟଫଣ୍ଡ ଘୋଟାଲାବାଲାଙ୍କୁ ଜେଲ୍ରେ ପୂରାଯିବ କି ନାହିଁ। ଏ ନବୀନ ବାବୁ ଘୋଟାଲାକାରୀଙ୍କୁ ଜେଲ୍ ପୂରାଇ ପାରିବେ କି। ବିଜେପି ସରକାର ବନାନ୍ତୁ, ଘୋଟାଲାକାରୀଙ୍କୁ ଜେଲ୍ ପୂରାଇବୁ। ଘୋଟାଲା କରିଥିବା ଲୋକଙ୍କୁ ଓଲଟା ଲଟକାଇ ଦିଆଯିବ ବୋଲି ଅମିତ ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି।