ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ଧୋନି-ତେନ୍ଦୁଲକର-ମୋଦି କଲେ ଆବେଦନ, ବିସିସିଆଇକୁ ମିଳିଲା ୩ହଜାରୁ ଅଧିକ ଆବେଦନ ପତ୍ର
![](https://www.odishalink.com/wp-content/uploads/2024/05/Team-India-Head-Coach-750x430.png)
ଓଏଲ୍ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳକୁ ଖବୁଶୀଘ୍ର ମିଳିବେ ନୂଆ ମୁଖ୍ୟ କୋଚ୍। କାରଣ ସରିଛି ଟିମ୍ ଇଣ୍ଡିଆର କୋଚ୍ ପଦ ପାଇଁ ଆବେଦନ ସମୟସୀମା। ମେ’ ୨୭ ତାରିଖ ଥିଲା କୋଚ୍ ପଦ ଆବେଦନ ପାଇଁ ଶେଷ ତାରିଖ। ସମୟସୀମା ସରିଥିବା ବେଳେ ସାମ୍ନାକୁ ଆସିଛି ଆବେଦନ ପତ୍ର ସଂଖ୍ୟା, ଯାହା ସମସ୍ତଙ୍କୁ ଚକିତ କରିଛି। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ପଦବୀ ପାଇଁ ୩୦୦୦ରୁ ଅଧିକ ଆବେଦନ ପତ୍ର ଭାରତୀୟ କ୍ରିକେଟ ପରିଷଦ (ବିସିସିଆଇ)କୁ ମିଳିଛି। ସେମଧ୍ୟରୁ ଅଧିକାଂଶ ଆବେଦନ ପତ୍ର ନକଲି ବୋଲି ଜଣାପଡ଼ିଛି। ଏମ୍ ଏସ୍ ଧୋନି, ସଚିନ ତେନ୍ଦୁଲକରଙ୍କ ଭଳି ଦିଗଜ୍ଜ ଖେଳାଳିଙ୍କ ନାମ ପ୍ରୟୋଗ କରି ବିସିସିଆଇକୁ ଆବେଦନ ପତ୍ର ପଠାଇଛନ୍ତି କିଛି ବ୍ୟକ୍ତି।
ଭାରତୀୟ ଦଳର ଆଗାମୀ ମୁଖ୍ୟ କୋଚ୍ କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। କାରଣ ଟି-୨୦ ବିଶ୍ବକପ୍ ସରିବା ମାତ୍ରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସମାପ୍ତ ହେବ। ଯେଉଁଥିପାଇଁ ମୁଖ୍ୟ କୋଚ୍ ପଦବୀ ପୂରଣ କରିବା ପାଇଁ ଅଣ୍ଟା ଭିଡିଛି ବିସିସିଆଇ। କିଛି ପ୍ରମୁଖ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍ ଜଣେ ବିଦେଶ କୋଚ୍ ହୋଇପାରନ୍ତି। ଅନ୍ୟପଟେ ବର୍ତ୍ତମାନ ସମୟରେ ଗୌତମ ଗମ୍ଭୀରଙ୍କ ନାମକୁ ନେଇ ଖୁବ ଚର୍ଚ୍ଚା ହେଉଛି।
ଏସବୁ ମଧ୍ୟରେ ବିସିସିଆଇକୁ ୩ ହଜାରରୁ ଅଧିକ ଆବେଦନ ପତ୍ର ମିଳିଛି। ଇଣ୍ଡିଆନ୍ ଏକ୍ସପ୍ରେସ୍ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଧିକରୁ ଅଧିକାଂଶ ଆବଦେନ ପତ୍ର ନକଲି। କିଛି ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି, କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାମରେ ନକଲି ଆବେଦନ ପତ୍ର ପଠାଇଛନ୍ତି।
ସୂଚନାଥାଉକି, ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ପାଇଁ ବହୁତ ଦିଗଜ୍ଜ ମନା କରି ସାରିଛନ୍ତି। ଜଷ୍ଟିନ ଲଙ୍ଗର, ଷ୍ଟିଫେନ ଫ୍ଲେମିଂ, ଆଣ୍ଡି ଫ୍ଲାଓ୍ବାର ଓ ରିକି ପଣ୍ଟିଂଙ୍କ ଭଳି ବିଦେଶୀ ଦିଗଜ୍ଜ ମୁଖ୍ୟ କୋଚ୍ ପଦବୀ ଅଫରକୁ ମନା କରି ଦେଇଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଅନ୍ୟପଟେ ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, ଭାରତୀୟ କ୍ରିକେଟ ପରିଷଦ କୌଣସି ବି ଅଷ୍ଟ୍ରେଲିଆ କ୍ରିକେଟରକୁ ଭାରତୀୟ ଦଳକୁ କୋଚିଂ କରିବାକୁ ଅଫର୍ ଦେଇ ନାହିଁ। ଯେତେ ବି କ୍ରିକେଟର ଦାବି କରୁଛନ୍ତି ସମସ୍ତେ ମିଛ କହୁଛନ୍ତି ବୋଲି ଜୟ ଶାହ କହିଛନ୍ତି।
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦବୀ ପାଇଁ ଗୌତମ ଗମ୍ଭୀରଙ୍କ ନାମକୁ ନେଇ ଖୁବ ଚର୍ଚ୍ଚା ହେଉଛି। ଗୌତମ ଗମ୍ଭୀରଙ୍କ ମେଣ୍ଟରସିପ୍ରେ କୋଲକାତା ୨୦୨୪ ଆଇପିଏଲ୍ ଟ୍ରଫି ହାତେଇଛି। ଏହି କାରଣରୁ କୁହାଯାଉଛି ଯେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ ଗମ୍ଭୀର ହୋଇପାରନ୍ତି।