ଜଳେଶ୍ବର ମାଟିରୁ ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, କହିଲେ…
ଓଏଲ୍ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ଜୋରଦାର ଉଦ୍ୟମ କରୁଥିବାବେଳେ ବିଜେପି ଫୋକସରେ ଓଡିଶା ରହିଛି। ଏସବୁ ଭିତରେ ବାଲେଶ୍ୱର ଗସ୍ତରେ ଯାଇ ଭି.କେ ପାଣ୍ଡିଆନ ପ୍ରଚାର କରିଛନ୍ତି।
ବେତନଟୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହିତ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍। ପାଣ୍ଡିଆନ୍ କହିଛନ୍ତି, ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ପ୍ରଥମ ଦସ୍ତଖତ କରିବେ ଆଉ ବିଜୁଳି ବିଲ୍ ଛାଡ କରିବେ। ଏହାପରେ ଦ୍ୱିତୀୟ ଦସ୍ତଖତ କରିବେ ଏବଂ ସମସ୍ତେ ବିଏସକେୱାଇ କାର୍ଡ ପାଇବେ। ସେହିପରି ତୃତୀୟ ଦସ୍ତଖତ କରିବା ସହିତ ୬୦ ବର୍ଷ ପରେ ମିଶନ ଶକ୍ତି ମାଆମାନଙ୍କ ପାଇଁ ଭତ୍ତାର ବ୍ୟବସ୍ଥା କରିବେ ମୁଖ୍ୟମନ୍ତ୍ରୀ ବୋଲି ଭିକେ ପାଣ୍ଡିଆନ କହିଛନ୍ତି।
ଅନ୍ୟପଟେ ସେ କହିଛନ୍ତି ୩ୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ବିଜେଡି ବହୁମତ ପାଇସାରିଲାଣି। ଯଦି ବିଜେପି ଏଠି ସରକାର ଗଠନ କରିବ ତେବେ ମିଶନ ଶକ୍ତି, ବିଏସକେୱାଇ ଯୋଜନା ବନ୍ଦ କରିବ। ତେବେ ମିଶନ ଶକ୍ତିକୁ ଯିଏ ବନ୍ଦ କରିବାକୁ ଷଡଯନ୍ତ୍ର କରିବ, ମାଆମାନେ ତାଙ୍କୁ ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି ଭିକେ ପାଣ୍ଡିଆନ। ଏଥିସହ ବିଜେପି ଓଡିଶାରେ ସରକାରକୁ ଆସିଲେ ଓଡିଶା ୨୫ ବର୍ଷ ପଛକୁ ଚାଲିଯିବ ବୋଲି ସେ କହିଛନ୍ତି। ନିର୍ବାଚନ ଆସିଲେ ବିରୋଧୀ ଆସିବେ, ମିଠା ମିଠା କଥା କହିବେ, କୁମ୍ଭୀର କାନ୍ଦଣା କାନ୍ଦିବେ। ଏମାନେ ନିର୍ବାଚନ ବେଳେ ପର୍ଯ୍ୟଟକ ଭଳି ଆସିବେ। ନିର୍ବାଚନ ସରିଗଲେ ଖୋଜିଲେ ବି ଖୋଜିଲେ ବି ମିଳିବେ ନାହିଁ, ନବୀନ ପଟ୍ଟନାୟକ ଆପଣଙ୍କ ସୁଖଦୁଃଖରେ ସବୁବେଳେ ଛିଡ଼ା ହୋଇ ରହିଛନ୍ତି ବୋଲି ଦଳର ବରିଷ୍ଠ ନେତା ଭି.କେ ପାଣ୍ଡିଆନ କହିଛନ୍ତି।