ଜେଲ୍ରୁ ମେଡିକାଲକୁ ଗଲେ ଚିଲିକା ବିଧାୟକ, ଅସୁସ୍ଥତା କାରଣରୁ ଆଇସିୟୁରେ ହେଲେ ଭର୍ତ୍ତି
ଓଏଲ୍ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଇଭିଏମ୍ ଭାଙ୍ଗିବା ମାମଲାରେ ବନ୍ଧା ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତେବେ ଆଜି ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖୋର୍ଦ୍ଧା ଜେଲ୍ରୁ ଅଣାଯାଇ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଓକିଲଙ୍କ ଆବେଦନ ଆଧାରରେ ମେଡିକାଲରେ ଭର୍ତ୍ତି କରାଯାଇଛି।
ନିର୍ବାଚନ ବେଳେ ବିଶୃଙ୍ଖଳା ସୃଷ୍ଟି ନେଇ ଜେଲରେ ଥିବା ପ୍ରଶାନ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଏସସିବି ମେଡିସିନ ୱାର୍ଡର ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ଖୋର୍ଦ୍ଧା ଜେଲରେ ମଙ୍ଗଳବାର ରାତି ପାଖାପାଖି ୩ଟାରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଭୋର ୪ଟାରେ ଜେଲରୁ ଏସସିବି ସ୍ଥାନାନ୍ତର କରାଯାଇଥିଲା।
ସୂଚନା ମୁତାବିକ, ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିଲା। ଏହି କ୍ରମରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ତାଙ୍କ ପତ୍ନୀ ଭୋଟ୍ ଦେବା ପାଇଁ କାଉଁରିପାଟଣା ବୁଥରେ ପହଞ୍ଚିଥିଲେ। ଏହାର କିଛି ସମୟ ପରେ ଇଭିଏମକୁ ଫିଙ୍ଗାଫୋପଡ଼ା କରାଯାଇଥିବା ନେଇ ଅଭିଯୋଗ ଉଠିଥିଲା। ଏହି ଘଟଣାରେ ପୁଲିସ ବେଗୁନିଆରୁ ବିଧାୟକଙ୍କୁ ଉଠାଇ ନେଇ ଖୋର୍ଦ୍ଧା ରିଜର୍ଭ ପୁଲିସ କ୍ୟାମ୍ପସରେ ଅଟକ ରଖିଥିଲା। ତେବେ ସମ୍ପୃକ୍ତ ବୁଥର ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।