Odisha Link
Bridging the Missing Links in Odisha

ଆଜି ଓଡ଼ିଶାରେ ମୋଦିଙ୍କ ନିର୍ବାଚନ ପ୍ରଚାରର ଶେଷ ଦିନ, ଜନସମାଗମରେ କହିଲେ ଏହି ବଡ଼ କଥା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ଜୋରଦାର ଉଦ୍ୟମ କରୁଥିବାବେଳେ ବିଜେପି ଫୋକସରେ ଓଡିଶା ରହିଛି। ଏସବୁ ଭିତରେ ବାରିପଦା ଗସ୍ତରେ ଆସି ସଭାରେ ପ୍ରଧାନମନ୍ତ୍ରୀ ମୋଦି ବକ୍ତବ୍ୟ ରଖିଛନ୍ତି। ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ। ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ। ତୃତୀୟ ଥର ମଜବୁତ ମୋଦି ସରକାର ବନିବା ନିଶ୍ଚିତ ହୋଇଛି।

ସେ ଆହୁରି ମଧ୍ୟ କହଛନ୍ତି, ୫ ଦଶକ ପରେ ଲଗାତାର ତୃତୀୟଥର ପୂର୍ଣ୍ଣ ବହୁମତ ସରକାର ଗଢିବାକୁ ଦେଶବାସୀ ନିର୍ଣ୍ଣୟ କରିଛନ୍ତି। ଯେଉଁ ବିକାଶ ଲୋକେ ପୂର୍ବରୁ ଦେଖିନଥିଲେ ତାହା ଗତ ୧୦ ବର୍ଷ ମଧ୍ୟରେ ଦେଖିଛନ୍ତି। ୨୦୧୪ରେ ୧୧ ନମ୍ବର ଅର୍ଥନୀତି ଥିବା ଭାରତ ଏବେ ବିଶ୍ୱର ୫ମ ଅର୍ଥନୈତିକ ଦେଶ ପାଲଟିଛି। ସ୍ୱାଧୀନତା ପରେ ଦେଶରେ ସ୍ୱଚ୍ଛତା ୪୦ ପ୍ରତିଶତ ଥିଲା। କିନ୍ତୁ ଏବେ ଏହା ୧୦୦ ପ୍ରତିଶତରେ ପହଞ୍ଚିଲାଣି। ପୂର୍ବରୁ ୫୦ ପ୍ରତିଶତ ଲୋକଙ୍କୁ ଏଲପିଜି ଗ୍ୟାସ ସଂଯୋଗ ମିଳୁଥିଲା।

କିନ୍ତୁ ଏବେ ପାଖାପାଖି ୧୦୦% ଲୋକଙ୍କୁ ଗ୍ୟାସ ସଂଯୋଗ ମିଳିଛି। ୨୦୧୪ ପୂର୍ବରୁ ୭୫% ଗ୍ରାମୀଣ ପରିବାରକୁ ନଳରେ ଜଳ ଆସୁନଥିଲା। କିନ୍ତୁ ଆଜି ୭୫% ଗ୍ରାମୀଣ ପରିବାର ପାଖରେ ନଳରେ ଜଳ ପହଞ୍ଚୁଛି। ମାଗଣା ଚାଉଳ ଓ ମାଗଣା ଚିକିତ୍ସା ମିଳିବ ବୋଲି କେହି ଭାବିନଥିଲେ। କିନ୍ତୁ ମୋଦୀ ସରକାର ମାଗଣା ଚାଉଳ ଓ ମାଗଣା ଚିକିତ୍ସା ସୁବିଧା ଦେଉଛନ୍ତି। ଏହା କେବଳ ଟ୍ରେଲର। ଆଗାମୀ ୫ ବର୍ଷରେ ଭାରତ ବିଶ୍ୱର ୩ୟ ଅର୍ଥନୀତିର ଦେଶ ପାଲଟିବ।

ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି, ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶପଥ ନେବେ। ଆଜି ପୂରା ଓଡ଼ିଶା କହୁଛି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ହେବେ। ଓଡ଼ିଶା ଲୋକ ଚାହୁଁଛନ୍ତି ମୋଦୀ ଗ୍ୟାରେଣ୍ଟି। ବିଜେଡି ସରକାରରେ ଫୁଲଷ୍ଟପ ଲଗାଇବାକୁ ଓଡ଼ିଶାବାସୀ ନିଷ୍ପତ୍ତି ନେଇଛନ୍ତି। ଏବେ ସୁଦ୍ଧା ମୟୂରଭଞ୍ଜର ଜୟଜୟକାର ଏଥିପାଇଁ ହେଉଥିଲା କାରଣ ଏଠାରେ ମା’ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣୁଥିଲେ। କିନ୍ତୁ ଏବେ ମୟୂରଭଞ୍ଜର ଝିଅ ୧୪୦ କୋଟି ଭାରତୀୟଙ୍କ ନେତୃତ୍ୱ ନେଉଛନ୍ତି । ମୟୂରଭଞ୍ଜ, ଓଡ଼ିଶା ଓ ପୂରା ଦେଶ ପାଇଁ ଏହା ଗୌରବର ବିଷୟ।

ଆଦିବାସୀ କଲ୍ୟାଣ ପାଇଁ ସମର୍ପିତ ହୋଇ କାମ କରୁଛି ବିଜେପି ସରକାର। ଅଟଳଜୀଙ୍କ ସରକାର ସମୟରେ ଆଦିବାସୀ ମନ୍ତ୍ରାଳୟ ହୋଇଥିଲା । ସାନ୍ତାଳୀ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ କରିଥିଲେ ବିଜେପି ସରକାର। ମୋଦୀ ସରକାର ଆଦିବାସୀ କଲ୍ୟାଣ ବଜେଟ ୫ ଗୁଣା ବୃଦ୍ଧି କରିଛନ୍ତି। ଗତ ୧୦ ବର୍ଷରେ ଆଦିବାସୀ କ୍ଷେତ୍ରରେ ଅନେକ ଏକଲବ୍ୟ ଆବାସିକ ବିଦ୍ୟାଳୟ ନିର୍ମାଣ ହୋଇଛି। ଓଡ଼ିଶା ବିଜେପିର ସୁଭଦ୍ରା ଯୋଜନାର ବହୁତ ଚର୍ଚ୍ଚା ହେଉଛି। ଏହି ଯୋଜନାରେ ମହିଳାଙ୍କୁ ୫୦ ହଜାର ଭାଉଚର ଦିଆଯିବ। ଏହାସହ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବ ବିଜେପି ସରକାର। ବିଜୁଳି ବିଲକୁ ଶୂନ କରିଦେବ ବିଜେପି ସରକାର। ଏହାସହ ବିଜୁଳି ଉତ୍ପାଦନ କରି ଆୟ ମଧ୍ୟ କରିପାରିବେ ଲୋକେ। ପିଏମ ସୂର୍ଯ୍ୟଘର ଯୋଜନାରେ ଲୋକେ ମାଗଣା ବିଜୁଳି ର ଲାଭ ପାଇପାରିବେ।

Leave A Reply

Your email address will not be published.