ଆଉ କିଛି ସମୟ ପରେ ଓଡ଼ିଶା ଆସିବେ ମୋଦି, ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ କରିବେ ପ୍ରଚାର
ଓଏଲ୍ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ଜୋରଦାର ଉଦ୍ୟମ କରୁଥିବାବେଳେ ବିଜେପି ଫୋକସରେ ଓଡିଶା ରହିଛି। ଏସବୁ ଭିତରେ ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ମାରାଥନ୍ ପ୍ରଚାରରେ ଆସୁଛନ୍ତି ମୋଦି।
ସେ ଆଜି ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ। ପ୍ରଥମେ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ବାରିପଦା ସ୍ଥିତ ଛଉ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ଅପରାହ୍ନ ୨ଟାରେ ବାଲେଶ୍ୱର ଗସ୍ତ କରି ରେମୁଣା ସ୍ଥିତ ନରହରି ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବେ। ଶେଷରେ ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଅପରାହ୍ନ ୪ଟାରେ ବାରୁଅ ପଡ଼ିଆରେ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ। ଆଜି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଚାର ବେଳେ ଓଡ଼ିଶାବାସୀଙ୍କୁ କଣ କହିବେ, ତାହା ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି।