ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ: ଭିଡିଓ ମାଧ୍ୟମରେ ଜବାବ ରଖିଲେ ନବୀନ
ଓଏଲ୍ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ଜୋରଦାର ଉଦ୍ୟମ କରୁଥିବାବେଳେ ବିଜେପି ଫୋକସରେ ଓଡିଶା ରହିଛି। ଏସବୁ ଭିତରେ ନେତାଙ୍କ ବୟାନବାଜି ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅସମ୍ମାନ କରିବା ଘଟଣାକୁ ନେଇ ବିରୋଧୀ ଓ ଶାସକଦଳ ମଧ୍ୟରେ ଟଣାଓଟରା ଲାଗିରହିଥିବାବେଳେ ଏସଵୁ ନେଇ ଆଜି ଏକ ଭିଡିଓ ଜାରି ହୋଇଛି।
ଯେଉଁଥିରେ ବିରୋଧୀ ନେତାଙ୍କ ଅଶାଳୀନ ବ୍ୟବହାର କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି,‘ ସାଢେ ୪ କୋଟି ଓଡିଶାବାସୀଙ୍କୁ ମୁଁ ନିଜ ପରିବାର ଭାବି ସେବା କରିଆସୁଛି। ସୁଖଦୁଖରେ ମୁଁ ସବୁବେଳେ ସେମାନଙ୍କ ସହ ଅଛି। କୋଭିଡ ମୁକାବିଲା ହେଉ କି ବନ୍ୟା, ବାତ୍ୟା ହେଉ ସବୁଥିରେ ମୁଁ ସେମାନଙ୍କ ସହ ଛିଡା ହୋଇଛି। ଶେଷ ଯାଏଁ ଛିଡା ହୋଇଥିବି।
‘ମିଶନ ଶକ୍ତି ମା’ମାନଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି। ସେହିଭଳି ଆମ ରାଜ୍ୟର ଯୁବପୀଢି ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି। ଯୁବ ଶକ୍ତି ହିଁ ଓଡିଶାକୁ ଆଗକୁ ନେବ ଓ ଓଡିିଶାକୁ ନମ୍ବର ୱାନ କରିବେ। ହେଲେ ଦୁଃଖର କଥା ବାହାର ନେତାମାନେ ଆସି ମୋତେ ବ୍ୟକ୍ତିଗତ ଭାବେ ଟ୍ୟାଗ କରୁଛନ୍ତି କଟୁକଥା କହୁଛନ୍ତି ଅଭଦ୍ର ଭାଷଣ ବ୍ୟବହାର କରୁଛନ୍ତି। ଆପଣମାନେ ଭଲଭାବେ ଜାଣିଛନ୍ତି ମୁଁ କାହାକୁ କେବେ ଅସମ୍ମାନ କରେ ନାହିଁ କି କଟୁକଥା କୁହେନାହିଁ। ବିଶେଷ କରି ମୋ ରାଜ୍ୟର ମା’ମାନେ ଓ ଯୁବ ବନ୍ଧୁମାନେ ମୋ ପ୍ରତି ହେଉଥିବା ଏ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ। ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଓଡିଶା ସାଥିରେ ରହିଛି ଓ ରହିଥିବ।