ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନିଲମ୍ବନ ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ପାଣ୍ଡିଆନ୍

ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ ଚାଲିଥିବା ବେଳେ ମଙ୍ଗଳବାର ବରିଷ୍ଠ ଆଇପିଏସ୍ ଅଧିକାରୀ ଧୀରେନ୍ଦ୍ର ଶମ୍ଭାଜୀ କୁଟ୍ଟେଙ୍କୁ ନିଲମ୍ବିତ କରିଥିଲେ ଭାରତୀୟ ନିର୍ବାଚନ କମିଶନ। ଚାକିରିରୁ ନିଲମ୍ବନ କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍। କହିଛନ୍ତି ଏହା ଏକ ଦୁର୍ଭାଗ୍ୟଜନକ କଥା । ସେ ଜଣେ ସଚ୍ଚୋଟ ଅଧିକାରୀ। ଜୀବନକୁ ବାଜି ଲଗାଇ ସେ ନକ୍ସଲଙ୍କ ସହ ଲଢିଛନ୍ତି।ଏପରି କାମ କରିବା ଲୋକଙ୍କ ଉପରେ ରାଜନୈତିକ ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଜଣ ବହୁତ ସଚ୍ଚୋଟ ଅଫିସର। ଓଡ଼ିଶାରେ ନକ୍ସଲଙ୍କ ଆତଙ୍କ କିମିଛି। ଓଡ଼ିଶାରେ ନକ୍ସଲବାଦ କମାଇବାରେ ତାଙ୍କର ବଡ଼ ଭୂମିକା ରହିଛି। ଛତିଶଗଡ଼ରେ ଏବେ ସୁଦ୍ଧା ନକ୍ସଲବାଦ କମ ହୋଇ ପାରୁନାହିଁ। କିନ୍ତୁ ଓଡ଼ିଶାରେ ବନ୍ଦ ହୋଇଛି। ସେ ଜୀବନକୁ ବାଜି ଲଗାଇ ନକ୍ସଲଙ୍କ ସହିତ ଲଢ଼ିଛନ୍ତି। ସେଭଳି ଜଣେ ସଚ୍ଚୋଟ ଅଫିସରଙ୍କ ଉପରେ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ନିଲମ୍ବିତ ନିର୍ଦ୍ଦେଶ ଦିଆଯାଇଥିବା ଭାବୁଛି ବୋଲି କହିଛନ୍ତି ପାଣ୍ଡିଆନ।
ସେ ଆହୁରି ସ୍ପଷ୍ଟୀକରଣ ରଖି କହିଛନ୍ତି, ରାଜନୈତିକ ଉଦ୍ଦେଶ୍ୟରେ ବିଜେପି ନେତୃମଣ୍ଡଳୀ ଯାହା ଚାହୁଁଛନ୍ତି ତାହା ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଜୁ ଜନତା ଦଳ କେବେବି କୌଣସି ଅଫିସରଙ୍କୁ ନିର୍ବାଚନ ପ୍ରକ୍ରିୟାରେ ବ୍ୟବହାର କରୁନାହାନ୍ତି। ରାଜ୍ୟରେ ବିଜୁ ଜନତା ଦଳର ସ୍ଥିତି ସୁଦୃଢ଼ ରହିଛି। ଯେଉଁ ଦଳର କୋଟିଏରୁ ଅଧିକ କର୍ମୀ ଅଛନ୍ତି ତାଙ୍କୁ କାହାର ସାହାଯ୍ୟ କାହିଁକି ଦରକାର ହେବ। ଅଫିସରଙ୍କ ସହଯୋଗ ବିଜେପିକୁ ଦରକାର ପଡ଼ିପାରେ କିନ୍ତୁ ବିଜେଡିକୁ କିଛି ଦରକାର ନାଇଁ ବୋଲି ପାଣ୍ଡିଆନ୍ କହିଛନ୍ତି।
ସୂଚନାଥାଉକି, ବରିଷ୍ଠ ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେ ନିଲମ୍ବିତ।ନିର୍ବାଚନରେ ଅନଧିକୃତ ହସ୍ତକ୍ଷେପ ଅଭିଯୋଗରେ ନିଲମ୍ବିତ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ନିଲମ୍ବିତ କାଳରେ ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସ୍ରେ କାର୍ଯ୍ୟ କରିବେ। ବୁଧବାର ଦିନ ୩ଟା ସୁଦ୍ଧା ସେଠାରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ।
ସେହିପରି ବରିଷ୍ଠ ଆଇପିଏସ୍ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ। ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ। ଆଶିଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଯାଞ୍ଚ ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେ’ ୩୦ ସୁଦ୍ଧା ମେଡିକାଲ ବୋର୍ଡ ନିକଟରେ ହାଜର ପାଇଁ ଆଶିଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ।