ଭାରତକୁ ବଡ଼ ସଫଳତା, ପ୍ରଥମ ଘରୋଇ ମହାକାଶ ପରୀକ୍ଷଣ କଲା ‘ଅଗ୍ନିକୂଳ କସମସ୍’
ଓଏଲ୍ ବ୍ୟୁରୋ: ମହକାଶ ଗବେଷଣା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା। ଭାରତରେ ପ୍ରଥମ ଥର ପାଇଁ ଘରୋଇ ମହାକାଶ ସଂସ୍ଥା ଦ୍ବାରା ଶ୍ରୀହରିକୋଟା ସ୍ଥିତ ଘରୋଇ ରକେଟ ଲଞ୍ଚ ପ୍ୟାଡରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ୍ ଅଗ୍ନିବାଣର ସଫଳ ଉତକ୍ଷେପଣ ହୋଇଛି। ସଫଳ ମହାକାଶ ପରୀକ୍ଷଣ କରିଛି ସ୍ବଦେଶୀ ଘରୋଇ ମହାକାଶ ଗବେଷଣା ସଂସ୍ଥା ଅଗ୍ନିକୂଳ କସମସ୍। ଆଜି ସକାଳ ୭ଟା ୧୫ ମିନିଟରେ ଅଗ୍ନିବାଣ ନାମକ ରକେଟକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି।
ଇସ୍ରୋ ପକ୍ଷରୁ ରକେଟ ସଫଳ ଉତକ୍ଷେପଣ ହୋଇଥିବା ନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦିଆଯାଇଛି।ଏହି ରକେଟରେ ସେମି କ୍ରାୟୋଜେନିକ ଲିକୁଇଡ୍ ଇଂଜିନ ବ୍ୟବହାର ହୋଇଛି। ଏହାପୂର୍ବରୁ ରକେଟ ଉତକ୍ଷେପଣ ପାଇଁ ୪ ଥର ପ୍ରୟାସ କରାଯାଇଥିଲେ ବି ବୈଷୟିକ ତ୍ରୁଟିକୁ ନେଇ ସ୍ଥଗିତ ରଖାଯାଇଥିଲା। ତେବେ ପଞ୍ଚମ ଥର ଉତକ୍ଷେପଣ ସଫଳ ହୋଇଥିବା ସଂପୃକ୍ତ ସ୍ପେସ୍ ଷ୍ଟାର୍ଟଅପ କମ୍ପାନୀ ଅଗ୍ନିକୂଳ କସମସ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ରକେଟ୍ ୭୦୦କିଲୋମିଟର ଉଚ୍ଚତାକୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ନେବାର ସକ୍ଷମତା ରଖିଛି। ରକେଟର ଓଜନ ୫୭୫ କେଜି ଓ ଏହା ୬.୨ ମିଟର ଲମ୍ବ।ଏହି ଇଞ୍ଜିନ୍ ପରୀକ୍ଷା ଅଗ୍ନିକୁଳର ନିଜସ୍ୱ ଡାଟା ଅଧିଗ୍ରହଣ ପ୍ରଣାଳୀ ଏବଂ ଫ୍ଲାଇଟ୍ କମ୍ପ୍ୟୁଟର ଦ୍ୱାରା ପରିଚାଳିତ। ଏହା ଉଭୟ ନିମ୍ନ ଏବଂ ଉଚ୍ଚ କକ୍ଷପଥରେ ପହଞ୍ଚିପାରେ। ୧୦ରୁ ଅଧିକ ଲଞ୍ଚ ପୋର୍ଟରେ ପହଞ୍ଚିବା ପାଇଁ ଏହାର ଡିଜାଇନ୍ କରାଯାଇଛି।
୨୦୧୭ରେ ଚେନ୍ନାଇରେ ମହାକାଶ ଗବେଷଣା ନେଇ ଷ୍ଟାର୍ଟଅପ ଆରମ୍ଭ କରିଥିଲେ ଦୁଇ ଜଣ ଏରୋସ୍ପେସ୍ ଇଂଜିନିୟର। ଆଜି ଉତକ୍ଷେପଣ ହୋଇଥିବା ଶ୍ରୀହରିକୋଟାରରୁ ଉତକ୍ଷେଣ ପରେ ଏହାକୁ ବଙ୍ଗୋପସାଗରରେ ପକାଯାଇଥିଲା। ଏହି ଘରୋଇ ମହାକାଶ ଗବେଷଣ ସଂସ୍ଥାର ସଫଳତା ପରେ ବିଶ୍ବ ମହାକାଶ ଅର୍ଥନୀତିରେ ଭାରତ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।