Odisha Link
Bridging the Missing Links in Odisha

ପୁରୀ ବାଣ ବିସ୍ଫୋରଣ ଘଟଣା: ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଏଲ୍‌ ବ୍ୟୁରୋ: ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ବରର ଦୁଇ ଘରୋଇ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। ବିସ୍ଫୋରଣରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଛି। କଟକ ଏସସିବିରେ ୬ ଜଣ ଚିକିତ୍ସାଧିନ ଅଛନ୍ତି। ସେହିପରି ଭୁବନେଶ୍ବରରେ ଘରୋଇ ହସ୍ପିଟାଲରେ ଚାଲିଛି ଅନେକ ଆହତଙ୍କ ଚିକିତ୍ସା। ତେବେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆହତଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

ସୂଚନା ଅନୁସାରେ, ଗତକାଲି ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ଫୁଟା ଯାଉଥିଲା। ଏହି ସମୟରେ ବାଣ ଫୁଟି ଅଘଟଣ ଘଟିଥିବା କୁହାଯାଉଛି। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଥିବାବେଳେ ୨୫ରୁ ଅଧିକ ଆହତ ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଅଘଟଣ ପାଇଁ ଶୋକ ପ୍ରକାଶ କରିଥିଲେ। ଏହା ସହ ଆହତମାନଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ସହ ବ୍ୟବସ୍ଥାର ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.