Odisha Link
Bridging the Missing Links in Odisha

‘ମୋ ଉତ୍ତରାଧିକାରୀ କିଏ, ଓଡ଼ିଶାବାସୀ ସ୍ଥିର କରିବେ’

ଓଏଲ୍‌ ବ୍ୟୁରୋ: ଚଳଚଞ୍ଚଳ ରାଜ୍ୟ ରାଜନୀତି। ଜୁନ ପହିଲାରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ସେହିଭଳି ଆଜି ସଂଧ୍ୟାରେ ମଧ୍ୟ ଦେଶରେ ହେବାକୁ ଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ସରୁଛି ପ୍ରଚାର। ଏହି ପର୍ଯ୍ୟାୟରେ ବହୁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ। ରାଜ୍ୟରେ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ବିଜେଡି ପକ୍ଷରୁ ପ୍ରାଣ ପଣେ ଉଦ୍ୟମ ଜାରି ରହିଥିଵାବାବେଳେ ବିଜେପି ମଧ୍ୟ କେନ୍ଦ୍ରୀୟ ନେତାଙ୍କୁ ଆଣି ଓଡ଼ିଶାରେ ଘନ ଘନ ପ୍ରଚାର ଚଳାଇଛି।

ଏସବୁ ଭିତରେ ଓଡ଼ିଶା ଗସ୍ତରେ ଆସି ଜନସଭାରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଥିଲେ। ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହେଲା ପ୍ରଶ୍ନରେ ଖୋଦ ନବୀନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ଉତ୍ତର ରଖିଥିଲେ। ଆଜି ଏହି ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋତେ ଫୋନ କରି ସ୍ବାସ୍ଥ୍ୟ କଥା ବୁଝିପାରିଥାନ୍ତେ। ମୋର ସ୍ବାସ୍ଥ୍ୟ ପୂରାପୂରି ଠିକ୍‌ ଅଛି। ମୋର ସ୍ବାସ୍ଥ୍ୟବସ୍ଥାକୁ ନେଇ ଗୁଜବ କରାଯାଉଛି। ମୁଁ ଲୋକଙ୍କ ସେବା ଜାରି ରଖିବି। ମୋ ଉତ୍ତରାଧିକାରୀ କିଏ ହେବେ, ଓଡ଼ିଶାବାସୀ କହିବେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ ପୁଣି ସଂଖ୍ୟା ଗରିଷ୍ଠତା ହାସଲ କରିବ ବିଜେଡି। ପୁଣି ଥରେ ସରକାର କରିବ ବିଜୁ ଜନତା ଦଳ। ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ କିଏ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ଉତ୍ତରାଧିକାରୀ ଭିକେ ପାଣ୍ଡିଆନ ନୁହନ୍ତି। ପାଣ୍ଡିଆନ ନିର୍ବାଚନରେ ମଧ୍ୟ ଛିଡ଼ା ହୋଇ ନାହାନ୍ତି। ଏ କଥାକୁ କାହିଁକି ବଢ଼ାଇଚଢ଼ାଇ କୁହାହେଉଛି ବୁଝାପଡ଼ୁନି। ମୋ ଉତ୍ତରାଧିକାରୀ କିଏ ଓଡ଼ିଶାବାସୀ ସ୍ଥିର କରିବେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.