Odisha Link
Bridging the Missing Links in Odisha

ଆଜି ପ୍ରଚାରର ଶେଷ ଦିନ, ସିମୁଳିଆରେ ହେଭିୱେଟ୍ ନେତାଙ୍କ ଭିଡ଼

ଓଏଲ୍‌ ବ୍ୟୁରୋ: ଚଳଚଞ୍ଚଳ ରାଜ୍ୟ ରାଜନୀତି। ଜୁନ ପହିଲାରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ସେହିଭଳି ଆଜି ସଂଧ୍ୟାରେ ମଧ୍ୟ ଦେଶରେ ହେବାକୁ ଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ସରୁଛି ପ୍ରଚାର। ଏହି ପର୍ଯ୍ୟାୟରେ ବହୁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ। ରାଜ୍ୟରେ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ବିଜେଡି ପକ୍ଷରୁ ପ୍ରାଣ ପଣେ ଉଦ୍ୟମ ଜାରି ରହିଥିଵାବାବେଳେ ବିଜେପି ମଧ୍ୟ କେନ୍ଦ୍ରୀୟ ନେତାଙ୍କୁ ଆଣି ଓଡ଼ିଶାରେ ଘନ ଘନ ପ୍ରଚାର ଚଳାଇଛି।

ଆଜି ପ୍ରଚାରର ଶେଷ ଦିନରେ ସବୁଠୁ ରୋଚକ ପାଲଟିଛି ସିମୁଳିଆ ରାଜନୈତିକ କ୍ଷେତ୍ର। କାରଣ ଗୋଟିଏ ଦିନରେ ତ୍ରିମୁଖୀ ପ୍ରଚାର ହୋଇଛି। ଆଜି ଓଡ଼ିଶା ଗସ୍ତରେ ଆସି ସିମୁଳିଆରେ ଜନସଭାକୁ ସମ୍ବୋଧିତ କରିଥିଲେ ରାହୁଲ ଗାନ୍ଧି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିଜେପି ସମ୍ବିଧାନକୁ ଶେଷ କରିବାକୁ କରିବାକୁ ଚାହୁଁଛି। ଦୁନିଆର ଏଭଳି କୌଣସି ଶକ୍ତି ନାହିଁ ଯିଏ ସମ୍ବିଧାନକୁ ସମାପ୍ତ କରିଦେବ। ଯେତେ ବି ଶକ୍ତି ଲଗାନ୍ତୁ ସମ୍ବିଧାନକୁ ସମାପ୍ତ କରିପାରିବେ ନାହିଁ।

ସେହିଭଳି ରାଜ୍ୟରେ ବିଜେପି-ବିଜେଡି ସରକାରକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ମୁଁ ବିଜେପି ବିରୋଧରେ ଲଢୁଥିବାରୁ ମୋ ନାଁରେ ୨୪ଟି ମାମଲା ହୋଇଛି। ଯଦି ନବୀନ ବିଜେପି ବିରୋଧରେ ଲଢୁଛନ୍ତି ତାଙ୍କ ନାଁରେ ମାମଲା କାହିଁକି ହେଉନି। କାରଣ ଓଡ଼ିଶାରେ ବିଜେପି-ବିଜେଡି ମିଶିକି ଅଛନ୍ତି। ସେମାନଙ୍କ ଚିନ୍ତାଧାରା ଗୋଟିଏ। ମୋଦି-ନବୀନଙ୍କ ପାର୍ଟନରସିପ୍ ଭାଙ୍ଗି ଫିଙ୍ଗି ଦେବାକୁ ଚାହୁଁଚି ବୋଲି ରାହୁଲ ଗାନ୍ଧି କହିଛନ୍ତି।

ଅନ୍ୟପଟେ, ସିମୁଳିଆରେ ବିଜେଡିର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭି.କେ ପାଣ୍ଡିଆନ। ଏହା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ରରେ ଥିବା ବିଜେପି ସରକାର କହିଥିଲେ, ଆମେ ଶାସନକୁ ଆସିଲେ ଦରଦାମ୍ କମ୍ କରିବୁ। ପେଟ୍ରୋଲ୍ ଡିଜେଲ୍ ଓ ଏଲପିଜି ଦର କମ୍ କରିବୁ। ରୋଜଗାର ଦେବୁ। କିନ୍ତୁ ପ୍ରତିଶ୍ରୁତି ପୂରା କଲେ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଓଡିଶାବାସୀଙ୍କ ଦୁଃଖ ସୁଖରେ ଛିଡା ହୋଇଛନ୍ତି।

ବିଜେପି କେନ୍ଦ୍ରୀୟ ନେତା ୫ବର୍ଷକୁ ଥରେ ଆସି ଭୋଟ ମାଗୁଛନ୍ତି। ନୂଆ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି। ଯୁବପୀଢିଙ୍କୁ ସଶକ୍ତ କରିବା ପାଇଁ ଚାହାନ୍ତି। ଯୁବପୀଢି ଆଗକୁ ବଢିଲେ ରାଜ୍ୟ ଓ ଦେଶ ଆଗକୁ ବଢିବ, ଏହା ଆମ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା। ସିମୁଳିଆରେ ଆହୁରି ଉନ୍ନତି କିପରି ହେବ ତାହା କହିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବା ପାଇଁ ଭି.କେ ପାଣ୍ଡିଆନ୍ ନିବେଦନ କରିଛନ୍ତି।

ସେହିଭଳି ଶିମୁଳିଆରେ ଆଜି ବିଜେପି ପାଇଁ ପରକାହର ମୈଦାନକୁ ଓଲ୍ହାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଓଡ଼ିଶା ମାଟିର ପୁଅ ବିଜେପି ମୁଖ୍ୟମନ୍ତ୍ରୀ ହେବେ। ଓଡ଼ିଶାରେ ବିଜେପି ସରକାର ହେବ। ବିଜେପି ଆସିଲେ ଧାନ ୩୧୦୦ରେ କିଣା ହେବ। ବିଜେପି ସରକାର ଆସିଲେ ଚିଟ୍‌ଫଣ୍ଡ ଟଙ୍କା ମିଳିବ, ଦୋଷୀ ଜେଲ ଯିବେ। ମୁଖ୍ୟମନ୍ତ୍ରୀ ତାମିଲନାଡ଼ୁରୁ ନେତା ଭଡ଼ାରେ ଆଣିଛନ୍ତି କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

Leave A Reply

Your email address will not be published.