ସିମୁଳିଆରେ ରାହୁଲଙ୍କ ପ୍ରଚାର, କହିଲେ-ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି ବିଜେପି

ଓଏଲ୍ ବ୍ୟୁରୋ: ଚଳଚଞ୍ଚଳ ରାଜ୍ୟ ରାଜନୀତି। ଜୁନ ପହିଲାରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ସେହିଭଳି ଆଜି ସଂଧ୍ୟାରେ ମଧ୍ୟ ଦେଶରେ ହେବାକୁ ଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ସରୁଛି ପ୍ରଚାର। ଏହି ପର୍ଯ୍ୟାୟରେ ବହୁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ। ରାଜ୍ୟରେ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ବିଜେଡି ପକ୍ଷରୁ ପ୍ରାଣ ପଣେ ଉଦ୍ୟମ ଜାରି ରହିଥିଵାବାବେଳେ ବିଜେପି ମଧ୍ୟ କେନ୍ଦ୍ରୀୟ ନେତାଙ୍କୁ ଆଣି ଓଡ଼ିଶାରେ ଘନ ଘନ ପ୍ରଚାର ଚଳାଇଛି। ଓଡ଼ିଶାରେ ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ତୁଙ୍ଗ ନେତାମାନେ ମାରାଥନ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଶକ୍ତି ଲଗାଇ ଦେଇଛନ୍ତି।
ଏହି କ୍ରମରେ ଆଜି ଓଡିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଓଡ଼ିଶା ଗସ୍ତରେ ଆସି ସିମୁଳିଆରେ ଜନସଭାକୁ ସମ୍ବୋଧିତ କରୁଛନ୍ତି ରାହୁଲ ଗାନ୍ଧି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିଜେପି ସମ୍ବିଧାନକୁ ଶେଷ କରିବାକୁ କରିବାକୁ ଚାହୁଁଛି। ଦୁନିଆର ଏଭଳି କୌଣସି ଶକ୍ତି ନାହିଁ ଯିଏ ସମ୍ବିଧାନକୁ ସମାପ୍ତ କରିଦେବ। ଯେତେ ବି ଶକ୍ତି ଲଗାନ୍ତୁ ସମ୍ବିଧାନକୁ ସମାପ୍ତ କରିପାରିବେ ନାହିଁ। ମୋଦି ସରକାର ଦେଶବାସୀଙ୍କ ବୋଝ ବଢ଼ାଇ ଦେଇଛନ୍ତି।
ସେହିଭଳି ରାଜ୍ୟରେ ବିଜେପି-ବିଜେଡି ସରକାରକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ମୁଁ ବିଜେପି ବିରୋଧରେ ଲଢୁଥିବାରୁ ମୋ ନାଁରେ ୨୪ଟି ମାମଲା ହୋଇଛି। ଯଦି ନବୀନ ବିଜେପି ବିରୋଧରେ ଲଢୁଛନ୍ତି ତାଙ୍କ ନାଁରେ ମାମଲା କାହିଁକି ହେଉନି। କାରଣ ଓଡ଼ିଶାରେ ବିଜେପି-ବିଜେଡି ମିଶିକି ଅଛନ୍ତି। ସେମାନଙ୍କ ଚିନ୍ତାଧାରା ଗୋଟିଏ। ମୋଦି-ନବୀନଙ୍କ ପାର୍ଟନରସିପ୍ ଭାଙ୍ଗି ଫିଙ୍ଗି ଦେବାକୁ ଚାହୁଁଚି ବୋଲି ରାହୁଲ ଗାନ୍ଧି କହିଛନ୍ତି।
ସୂଚନା ଅନୁସାରେ, ଜୁନ ପହିଲାରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ନିର୍ବାଚନରେ ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ସଂସଦୀୟ ଆସନ ପାଇଁ ମତ ଅଧିକାର ସାବ୍ୟସ୍ତ କରିବେ ଭୋଟର। ଉତ୍ତରପ୍ରଦେଶର ୧୩, ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗ ୯, ଚଣ୍ଡିଗଡ଼ର ଗୋଟିଏ, ଓଡ଼ିଶାର ୬ ଏବଂ ଝାଡଖଣ୍ଡର ୩ଟି ଲୋକସଭା ଆସନରେ ମତଦାନ ହେବ। ଓଡ଼ିଶାରେ ୬ ଲୋକସଭା ଆସନ ଓ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୪୨ ଆସନରେ ଭୋଟ ଗ୍ରହଣ ହେବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ।