ଜୁନ ୧ରୁ ଲାଗୁ ହେବ ନୂଆ ନିୟମ
ଓଏଲ୍ ବ୍ୟୁରୋ: ରାତି ପାହିଲେ ଜୁନ୍ ୧ ତାରିଖ। ଆଉ ଗାଡ଼ି ଚାଳକଙ୍କ ପାଇଁ ଆଣିଦେବ ଖୁସି ଖବର। କାରଣ ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ବାରମ୍ବାର ଦୌଡ଼ିବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ। ଭିଡ଼ରେ ଲମ୍ବା ଲାଇନ ଲଗାଇ ଦେବାକୁ ପଡ଼ିବନି ଡ୍ରାଇଭିଂ ପରୀକ୍ଷା। ଏହି ପ୍ରକ୍ରିୟା ପୂର୍ବଠାରୁ ଅଧିକ ସରଳ ହେବ। କାରଣ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତା ଜୁନ ୧ରୁ ଲାଗୁ କରିବାକୁ ଯାଉଛି ନୂଆ ନିୟମ। ଯାହା ଦ୍ୱାରା ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦୌଡ଼ିବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ।
ତେବେ ନୂଆ ନିୟମ ଲାଗୁ ହେଲା ପରେ ଅରିଜିନାଲ୍ ଟ୍ରାନ୍ସପୋର୍ଟ ଅଫିସ ସହିତ, ଆପଣ ଆପଣଙ୍କର ନିକଟତମ ଘରୋଇ କେନ୍ଦ୍ର କିମ୍ବା ଡ୍ରାଇଭିଂ ସ୍କୁଲକୁ ଯାଇ ଡ୍ରାଇଭିଂ ପରୀକ୍ଷା ଦେଇପାରିବେ। ଏହି କେନ୍ଦ୍ରଗୁଡ଼ିକୁ ଡ୍ରାଇଭିଂ ପରୀକ୍ଷା ଏବଂ ସାର୍ଟିଫିକେଟ୍ ସୂଚନା ପାଇବାକୁ ଅନୁମତି ମଧ୍ୟ ଦିଆଯିବ।
ନୂଆ ନିୟମ ଆଧାରରେ ଡ୍ରାଇଭିଂ ଲାଇସେନ୍ସ ପାଇବାର ପ୍ରକ୍ରିୟା ଜାଣନ୍ତୁ..
ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ପ୍ରକ୍ରିୟା ପୂର୍ବ ପରି ସମାନ ରହିବ। ଏଥିପାଇଁ ପରିବହନ ବିଭାଗ ୱେବସାଇଟ୍ https://parivahan.gov.in/parivahan/ରେ ଲଗ୍ ଇନ୍ କରିବାକୁ ହେବ। ଆବେଦନକାରୀ ଅନଲାଇନରେ ଆବେଦନପତ୍ର ଜମା କରିପାରିବେ। ଏହା ସହିତ ନିକଟସ୍ଥ ଆରଟିଓ କାର୍ଯ୍ୟାଳୟକୁ ଯାଇ ଅଫ୍ଲାଇନରେ ମଧ୍ୟ ଆଦେବନ କରିପାରିବେ।ଆବେଦନକାରୀଙ୍କୁ ନିକଟସ୍ଥ ସେଣ୍ଟରରେ ପରୀକ୍ଷା ଦେବାର ଅପସନ୍ ରହିବ।
ବର୍ତ୍ତମାନ ଆବେଦନକାରୀଙ୍କୁ ଆରଟିଓ କାର୍ଯ୍ୟାଳୟକୁ ପରୀକ୍ଷା ଦେବାକୁ ଯିବାକୁ ପଡ଼ୁଛି, ଯେଉଁଥିରୁ ଏବେ ମୁକ୍ତି ମିଳିବ। ନୂଆ ନିୟମ ଅନୁସାରେ ଏବେ ଘରୋଇ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯିବ। ଆବେଦନକାରୀ ଏହି ସଂସ୍ଥାଗୁଡ଼ିକର ସେଣ୍ଟରକୁ ଯାଇ ଲାଇସେନ୍ସ ହାସଲ କରିପାରିବେ। ଏହି ସଂସ୍ଥା ଡ୍ରାଇଭିଂ ପରୀକ୍ଷା କରାଇ ପ୍ରମାଣ ପତ୍ର ପ୍ରଦାନ କରିବ।