Odisha Link
Bridging the Missing Links in Odisha

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ସିନେମାର ମହକ, ପ୍ରଦର୍ଶିତ ହେଲା ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ପୁଣି ଗର୍ବ ଆଣିଲା ଓଡ଼ିଆ ଚଳଚ୍ଚିତ୍ର। ୭୭ତମ କାନସ୍ ଫିଲ୍ମ ଫେଷ୍ଟିଭାଲ୍‌ରେ ଅଭୟ ପତିଙ୍କ ପ୍ରଯୋଜିତ ତଥା ପ୍ରଣବ କୁମାର ଆଇଚଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର୍ ଇଣ୍ଡିଆ ପାଭିଲିଅନ୍ ବା ଭାରତ ପର୍ବ ଦ୍ୱାରା ପ୍ରଦର୍ଶିତ ହୋଇଛି। ଭାରତ ପର୍ବର ଉଦ୍‌ଯାପନୀ ସମାରୋହକୁ ଏହି ପୋଷ୍ଟର ଓ ଟ୍ରେଲ୍‌ର ରିଲିଜ୍ ପାଇଁ ଏହି ଫିଲ୍ମର ଟିମ୍‌କୁ ନିମନ୍ତ୍ରଣ ମିଳିଥିଲା।

ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ଇଣ୍ଡିଆ ପାଭିଲିୟନରେ ପ୍ରଦର୍ଶିତ ହୋଇଥିବା ବେଳେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମ ଖୁବ ପ୍ରଶଂସିତ ହେବା ସହ ଏହା ରାଜ୍ୟ ପାଇଁ ଗୌରବ ଆଣିଛି। ଏହି ଓଡ଼ିଆ ଡକ୍ୟୁମେଣ୍ଟ୍ରି ସିନେମା ଓଡ଼ିଶାର ଶତାୟୁ ଶିକ୍ଷକ ତଥା ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ଜୀବନ କାହାଣୀ ଉପରେ ଆଧାରିତ। ଏନ୍ଏଫ୍ଡିସି ଓ ଫିକି ଦ୍ୱାରା ପରିଚାଳିତ ଇଣ୍ଡିଆ ପାଭିଲିଅନ୍ର ଉଦ୍ଯାପନୀ ସମାରୋହରେ ଚଳଚ୍ଚିତ୍ରର ପୋଷ୍ଟର୍ ଓ ଟ୍ରେଲର ରିଲିଜ ହୋଇଥିଲା।

ମାର୍ଚ୍ଚ ୨୨ ସନ୍ଧ୍ୟା ୪ ଟା୧୫ ସମୟରେ ଫିଲ୍ମଟି ପ୍ରଦର୍ଶିତ କରାଯାଇଥିଲା। ଟ୍ରେଲର ଏବଂ ପୋଷ୍ଟର ସଫଳତାର ସହ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ଇଣ୍ଡିଆ ପାଭିଲିୟନରେ ଚଳଚ୍ଚିତ୍ରର ରିଲିଜ ହୋଇଥିଲା। ଏଥିରେ ସାରା ବିଶ୍ୱରୁ ନିର୍ମାତା, ବିତରକ, ଅଭିନେତା ଯୋଗ ଦେଇଥିଲେ। ସମସ୍ତେ ପଦ୍ମଶ୍ରୀ ନନ୍ଦ ମାଷ୍ଟରଙ୍କ ସରଳତା ଏବଂ ସଫଳତା ଦ୍ୱାରା ବିସ୍ମିତ ହୋଇଥିଲେ। ଶୋ’ରେ ଉପସ୍ଥିତ ସମସ୍ତେ ଅଭୟ ଓ ପ୍ରଣବଙ୍କ ଦ୍ଵାରା ଚୟନ କରାଯାଇଥିବା ଏପରି କାହାଣୀକୁ ପ୍ରଶଂସା କରିଥିଲେ।

ଓଡ଼ିଶାର ଶତାୟୁ ଶିକ୍ଷକ ନନ୍ଦ ମାଷ୍ଟରଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବେଶିତ। ନନ୍ଦ ପୃଷ୍ଟିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତା ସାଇଶ୍ରେଷ୍ଠ ଦାସ ଓ ଅଙ୍ଗସା ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଶିବାଙ୍ଗୀ। ୧୦୩ ବର୍ଷ ବୟସ୍କ ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ସମୟରେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରି ଚର୍ଚ୍ଚାକୁ ଆସିଥିଲେ। ଅନ୍ୟପଟେ ଚଳଚ୍ଚିତ୍ରଟି ବିଭିନ୍ନ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଭ୍ରମଣ ପରେ ୨୦୨୪ ଶେଷ ସୁଦ୍ଧା ମୁକ୍ତିଲାଭ କରିବାର ପ୍ରୟାସ ରହିଛି ବୋଲି ପ୍ରଯୋଜନା ସଂସ୍ଥା କହିଛନ୍ତି।

Leave A Reply

Your email address will not be published.