ମାସ ଆରମ୍ଭରୁ କମିଲା ଗ୍ୟାସ୍ ସିଲିଣ୍ଡର ଦର
ଓଏଲ୍ ବ୍ୟୁରୋ: ଆଜି ଦେଶରେ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି। ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଏଲପିଜି ସିଲିଣ୍ଡର ଦର କମିଛି। ଦେଶର ତୈଳ ମାର୍କେଟିଂ କମ୍ପାନୀ (ଓଏମ୍ସିଏସ୍) ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ଜୁନ୍ ପହିଲାରୁ ୧୯ କେଜି କମର୍ସିଆଲ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ତେବେ ଘରୋଇ ଏଲ୍ପିଜି ମୂଲ୍ୟ ଅପରିବର୍ତ୍ତିତ ରହିଛି।
ଦର କମିବା ପରେ ଦିଲ୍ଲୀରେ କମର୍ସିଆଲ ଏଲପିଜି ମୂଲ୍ୟ ୬୯.୪୦ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ମେ ୧ ତାରିଖରେ ଦିଲ୍ଲୀରେ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍ ୧୯ ଟଙ୍କା ହ୍ରାସ ପାଇଥିଲା। ଏହାଫଳରେ ବୈବସାୟିକ ଏଲପିଜି ସିଲିଣ୍ଡର ଦାମ୍ ୧୭୪୫ ଟଙ୍କାକୁ କମିଥିଲା।
ସୂଚନାଯୋଗ୍ୟ, ପୂର୍ବରୁ ଜାନୁଆରୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦର ୧.୫୦ ଟଙ୍କା ବଢ଼ିଥିଲା। ଫେବ୍ରୁଆରୀରେ ୧୪ ଟଙ୍କା ବୃଦ୍ଧି ହୋଇଥିଲା। ମାର୍ଚ୍ଚ ମାସରେ ଏହା ୨୫.୫୦ ଟଙ୍କା ବଢ଼ିଥିଲା। ଗତ ୩ ମାସ ମଧ୍ୟରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦରରେ ମୋଟ ୪୧ ଟଙ୍କା ବୃଦ୍ଧି ପାଇଛି। କମର୍ସିଆଲ ଏଲପିଜି ସିଲିଣ୍ଡରର ନୂଆ ଦର ମାର୍ଚ୍ଚ ୧ ଠାରୁ ଲାଗୁ ହୋଇଥିଲା।