Odisha Link
Bridging the Missing Links in Odisha

ପରଲୋକରେ କଣ୍ଢେଇ ନ୍ୟୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର

ଓଏଲ୍‌ ବ୍ୟୁରୋ: ପରଲୋକରେ କଣ୍ଢେଇ ନ୍ୟୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ମାଗୁଣୀ ଚରଣ କୁଅଁର ଦୀର୍ଘ‌ ଦିନ ଧରି ଅସୁସ୍ଥ ଥିଲେ। ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। କେନ୍ଦୁଝର ପୁରୁଣା ବଜାର ବାସଭବନରେ ଦେହାନ୍ତ ହୋଇଥିବା ସୂଚନା।

କେନ୍ଦୁଝର ସହରର ବୈଦ୍ୟରାଜ ସାହିରେ ୧୯୩୭ ମସିହା ଫେବ୍ରୁଆରି ୧୨ ତାରିଖରେ ଶ୍ରୀ କୁଅଁର ଜନ୍ମଗ୍ରହଣ କରିଥିଲେ। ସେ ୧୫ ବର୍ଷ ବୟସରୁ ଗୁରୁ ମକରଧ୍ବଜ ବେହେରାଙ୍କ ଠାରୁ କଣ୍ଢେଇ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ। ତାପରଠୁ କଣ୍ଢେଇ ନୃତ୍ୟର କଳାକୁ ଆଗକୁ ବଢ଼େଇ ଚାଲିଥିଲେ। ରାବଣବଦ୍ଧ, ତ୍ରିପୁରାସୁରବଦ୍ଧ, ଚନ୍ଦ୍ରହାସ୍ୟ ଖଡ୍‌ଗ, ମନ୍ଦୋଦରୀ ବିବାହ, ଚାର୍ଲସ ଶୋଭରାଜ, ବୀରସୁରେନ୍ଦ୍ର ସାଏ, ସହିଦ ଲକ୍ଷ୍ମଣ ନାୟକ, ଶ୍ରୀ ଗଣେଶ, ସତୀ ତୁଳସୀ ପରିବ ୪୫ଟି ବିଷୟବସ୍ତୁକୁ ନେଇ ସେ କଣ୍ଢେଇ ନୃତ୍ୟ ପରିବେଷଣ କରି ପ୍ରଶଂସାର ପାତ୍ର ସାଜିଥିଲେ।

କଣ୍ଢେଇ ନୃ୍ତ୍ୟକୁ ବଞ୍ଚାଇ ରଖିବା ପାଇଁ ଶ୍ରୀ କୁଅଁର ଅନେକ ସଂଘର୍ଷ କରିଥିଲେ। ସେ ତାଙ୍କ ପତ୍ନୀ ସ୍ନେହଲତାଙ୍କ ଗହଣା ସାଙ୍ଗକୁ ଘରର ବାସନକୁସନ ଏବଂ ନିଜର ମୋଟରସାଇକଲ ବିକ୍ରି କରି ଦେଇଥିଲେ। ରାଜ୍ୟର ବିଭିନ୍ନ ମହୋତ୍ସବ ସମେତ ଦେଶର ବିଭିନ୍ନ ମଞ୍ଚରେ ସେ କଣ୍ଢେଇ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏଥିପାଇଁ ତାଙ୍କୁ ୨୦୦୪ରେ କେନ୍ଦ୍ର ସଂଗୀତ ନାଟକ ଏକାଡେମି ପୁରସ୍କାର ମିଳିଥିଲା। ଏହାବାଦ୍‌ ସେ ୨୦୧୪ରେ ରାଜ୍ୟ ସଂଗୀତ ନାଟକ ଏକାଡେମି ସମ୍ମାନ ସମେତ ଦେଶର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ୨୦୨୩ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।

Leave A Reply

Your email address will not be published.