ପଶ୍ଚିମ ଓଡ଼ିଶାରେ ଜୀବନ ନେଉଛି ଅଂଶୁଘାତ, ରାଉରକେଲାରେ ମୃତ୍ୟୁ ସଂଖ୍ୟା ସର୍ବାଧିକ

ଓଏଲ୍ ବ୍ୟୁରୋ: ତତଲା କଡ଼େଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା। କିଛି ଜିଲ୍ଲାରେ ଚଳିତ ସପ୍ତାହରେ ତାତି ଟପିଲାଣି ୪୫ ଡିଗ୍ରୀ। ସେପଟେ ରାଜ୍ୟରେ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅସ୍ୱାଭାବିକ ମୃତ୍ୟୁ। ବିଶେଷକରି ପଶ୍ଚିମ ଓଡ଼ିଶାରେ ଏପରି ମୃତ୍ୟୁ ବଢ଼ିବାରେ ଲାଗିଛି। ତେବେ ଏଥିରୁ ଅଧିକାଂଶ ମୃତ୍ୟୁ ଅଶଂଘାତ ଜନିତ ହେଉଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଗତ ୭୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୯୯ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ୨୦ଟି ସେଥିରୁ ଅଂଶୁଘାତ ନେଇ ସ୍ପଷ୍ଟ ହୋଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି।
ଅଂଶୁଘାତଜନିତ ଘଟଣା ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଭଳି ଜିଲ୍ଲାରୁ ଅଭିଯୋଗ ଆସିଛି। ଅସ୍ୱାଭାବିକ ଭାବେ ଲୋକଙ୍କ ଜୀବନ ଯାଇଛି। ସେପଟେ ଆହୁରି ୨ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ହିଟୱେଭ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପାଇଁ ବଲାଙ୍ଗିର, ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଅଂଶୁଘାତଜନିତ ମୃତ୍ୟୁକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରୁ ଅଧିକ ହିଟୱେଭ୍ ମାମଲା ଆସୁଛି। କାଲି ସୁଦ୍ଧା ୨୬ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ସ୍ପଷ୍ଟ ହୋଇଛି। ସେଥିରୁ ୨୦ ମାମଲା କେବଳ ରାଉରକେଲା ସହରର। ସେଥି ମଧ୍ୟରୁ ହସ୍ପିଟାଲ ଆସିବା ପୂର୍ବରୁ କିଛି ରୋଗୀଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ସତର୍କ ରହିବାକୁ କୁହାଯାଇଛି।