ରାତି ପାହିଲେ ଆସିବ ଜନାଦେଶ, ତା ପୂର୍ବରୁ ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ
ଓଏଲ୍ ବ୍ୟୁରୋ: ଭାଙ୍ଗିଲା ଓଡ଼ିଶା ବିଧାନସଭା। ଷୋଡ଼ଶ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ। ୨୦୨୪ ଜନାଦେଶ ଫଳାଫଳ ଆସିବା ପୂର୍ବରୁ ଭାଙ୍ଗିଗଲା ଓଡ଼ିଶା ବିଧାନସଭା। ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନରେ ବିଧାନସଭା ଭଙ୍ଗ ନେଇ ରାଜ୍ୟ କ୍ୟାବିନେଟ ମଧ୍ୟ ସୁପାରିଶ କରିଥିଲା। ସେହି ସୁପାରିଶ କ୍ରମେ ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ।
ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ଶେଷ ହୋଇଥିଲା। ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ବିଧାନସଭା ଭଙ୍ଗ ପାଇଁ ସୁପାରିଶ ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଥିଲା। ଜୁନ ୨୪ ପର୍ଯ୍ୟନ୍ତ ରହିଛି ନବୀନ ସରକାରଙ୍କ କାର୍ଯ୍ୟକାଳ। ବିଧାନସଭା ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟରେ ସୁପାରିଶ ହୋଇଥିଲା। ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ ନେଇ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ଶେଷ ଥର ପାଇଁ ଷୋଡ଼ଶ ବିଧାନସଭା ଫେବ୍ରୁଆରୀ ମାସରେ ଅନୁଷ୍ଠିତ ହୋଇଥିଲା। ଫେବ୍ରୁଆରୀ ୧୦ ତାରିଖରେ ଅଧିବେଶନ ଶେଷ ହୋଇଥିଲା।