ପୁରୀ ବାଣ ବିସ୍ଫୋରଣ: ଗଲାଣି ୧୩ ଜୀବନ, ଏବେ ସୁଦ୍ଧା ୬ ସୁସ୍ଥ

ଓଏଲ୍ ବ୍ୟୁରୋ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ରବିବାର ଆଉ ୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫଳରେ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ତେବେ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ମୃତକଙ୍କ ସଂଖ୍ୟା ୧୩ଥିବା ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି)ଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ କଟକ ଏସ୍ସିବିରେ ଚିକିତ୍ସିତ ହେଉଥିବା ପାଞ୍ଚଜଣ ଆହତଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ପୁରୀ ବାଣ ବିସ୍ଫୋରଣରେ ଆହତ ୨ ଜଣ ମେଡିକାଲ୍ରୁ ଡିସଚାର୍ଜ ହୋଇଛନ୍ତି। ଏବେ ସୁଦ୍ଧା ୬ ସୁସ୍ଥ, ବିଭିନ୍ନ ମେଡିକାଲରେ ୧୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ବାଣ ବିସ୍ଫୋରଣରେ ୧୩ ଜୀବନ ଚାଲିଯାଇଛି।
ମୃତକ ଜଣକ ପୁରୀ ତଳନୂଆ ସାହି ଗୋଲପକା ବସ୍ତିର ସୋମନାଥ ବେହେରା(୧୪)। ମୃତକଙ୍କ ଶରୀର ୬୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ପ୍ଲାଷ୍ଟିକ୍ ସର୍ଜରି ବିଭାଗ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ଗତ ୨୯ ତାରିଖରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଆତସବାଜି କାର୍ଯ୍ୟକ୍ରମ ଚାଲିଥିଲା। ଫୁଟାଯିବା ପାଇଁ ଗୋଟିଏ ସ୍ଥାନରେ ଗଦା ହୋଇ ରହିଥିବା ବାଣରେ ନିଆଁ ଲାଗିବାରୁ ତାହା ଭୟଙ୍କର ରୂପ ନେଇଥିଲା। ଏହି ବିସ୍ଫୋରଣରେ ପ୍ରଥମେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଅର୍ଥାତ୍ ଶୁକ୍ରବାର ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆଉ ୪ଜଣ ଆଖିବୁଜିଥିଲେ।