Odisha Link
Bridging the Missing Links in Odisha

ଫଳାଫଳର ଦିନକ ପୂର୍ବରୁ ସୋନିଆଙ୍କ ପ୍ରତିକ୍ରିୟା, କହିଲେ- ଅପେକ୍ଷା କରନ୍ତୁ ଓ ଦେଖନ୍ତୁ

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଆସିବ ଜନାଦେଶ। ହାତୀ କାହା ମୁଣ୍ଡରେ କଳସ ଢ଼ାଳିବ, କିଏ ସରକାର ଗଢ଼ିବ ସବୁକିଛି ହୋଇଯିବ ସ୍ପଷ୍ଟ। ହେଲେ ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ବୁଥ୍‌ ବାହୁଡ଼ା ମତ ଆସି ସାରିଛି। ତେବେ ପ୍ରକାଶ ପାଇଥିବା ବିଭିନ୍ନ ବୁଥ୍‌ ବାହୁଡ଼ା ମତ ଅନୁସାରେ କେନ୍ଦ୍ରରେ ତୃତୀୟ ଥର ପାଇଁ ଏନଡିଏ ସରକାର ଗଠନ କରିବ ଏବଂ ବଡ଼ ବିଜୟ ହାସଲ କରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏସବୁ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ବୁଥ୍‌ ବାହୁଡ଼ା ମତ ଉପରେ ରଖିଛନ୍ତି ପ୍ରତିକ୍ରିୟା। ସେ କହିଛନ୍ତି, ଅପେକ୍ଷା କରନ୍ତୁ ଫଳାଫଳ କ’ଣ ଆସିବେ ଦେଖିବା।

ସୋମବାର ସୋନିଆ ଗାନ୍ଧୀ ଗଣମାଧ୍ୟମକୁ କହିଛନ୍ତି, ‘ଜୁନ୍‌ ୪ର ଫଳାଫଳକୁ ଅପେକ୍ଷା କରନ୍ତୁ। ଆମକୁ ଅପେକ୍ଷା କରିବାକୁ ପଡ଼ିବ। ଅପେକ୍ଷା କର ଆଉ ଦେଖ କ’ଣ ହେଉଛି। ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ, ଫଳାଫଳ ବୁଥ୍‌ ବାହୁଡ଼ା ମତର ସମ୍ପୂର୍ଣ୍ଣ ବିପରୀତ ହେବ।’ ଠିକ୍‌ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦିନକ ପୂର୍ବରୁ ସୋନିଆ ଗାନ୍ଧୀଙ୍କ ଏଭଳି ବୟାନ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହା ପୂର୍ବରୁ ରାହୁଲ ଗାନ୍ଧି ମଧ୍ୟ ଏକଜିଟ୍ ପୋଲକୁ ନେଇ ପ୍ରତିକ୍ରିୟା ରଖିସାରିଛନ୍ତି। ଏକଜିଟ୍ ପୋଲକୁ ନେଇ ରାହୁଲଙ୍କୁ ପ୍ରଶ୍ନ ପଚାରିବା ପରେ, ସେ ଏହାକୁ ଏକଜିଟ୍ ପୋଲ୍ ନକହି ଫାଣ୍ଟାସି ପୋଲ୍ ବୋଲି କହିଥିଲେ। ଏଥିସହିତ ଏଥର ଇଣ୍ଡିଆ ମେଣ୍ଟ ୨୯୫ ସିଟ୍ ଜିତିବ ବୋଲି ସଙ୍କେତ ଦେଇଥିଲେ ରାହୁଲ। ସୂଚନାଥାଉକି, ପ୍ରକାଶ ପାଇଥିବା ଅଧିକାଂଶ ବୁଥ୍‌ ବାହୁଡ଼ା ମତ ବିରୋଧୀ ଦଳ ‘ଇଣ୍ଡିଆ’ ପାଇଁ ବଡ଼ ବିପର୍ଯ୍ୟୟର ପୂର୍ବାନୁମାନ କରିଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପୁଣି କ୍ଷମତାକୁ ଫେରିବ ବୋଲି ସର୍ଭେରେ କୁହାଯାଇଛି।

Leave A Reply

Your email address will not be published.