Odisha Link
Bridging the Missing Links in Odisha

ସାବାଡ଼ ହେବେ ଅମାନିଆ, ଏଣିକି ରାଜଧାନୀରେ ଲାଗିବ ସ୍ପାଇକ୍‌ ବ୍ୟାରିଅର୍‌

ଓଏଲ୍‌ ବ୍ୟୁରୋ: ସହରର ବ୍ୟସ୍ତ ସଡ଼କମାନଙ୍କରେ ଓଲଟା ଦିଗରୁ ଗାଡ଼ି ଚ଼ଳେଇ ଆସିବା ଦ୍ୱାରା କିଛି ଲୋକ କେବଳ ଟ୍ରାଫିକ୍‌ ବ୍ୟବସ୍ଥାକୁ ଛିନଛତ୍ର କରିଦିଅନ୍ତି ତାହା ନୁହେଁ, ସେମାନେ ଅନେକ ଜୀବନକୁ ବିପଦରେ ବି ପକାନ୍ତି। ରାଜଧାନୀରେ କମ୍‌ ହେଉ ନ ଥିବା ରଙ୍ଗ୍‌ ରୁଟ୍ ଡ୍ରାଇଭିଂକୁ ରୋକିବା ପାଇଁ କମିଶନରେଟ୍ ପୁଲିସ ଖୁବ୍‌ ଶୀଘ୍ର ସଡ଼କ ଉପରେ ଲଗେଇବାକୁ ଯାଉଛି ସ୍ପାଇକ୍‌ ବ୍ୟାରିଅର୍‌ ତଥା ଟାୟାର୍‌ କିଲର୍‌। ଏଣିକି ରାଜଧାନୀ ରାଜରାସ୍ତାରେ ବିଭିନ୍ନ ଟ୍ରାଫିକ୍‌ ଛକରେ ଲାଗିବ ସ୍ପାଇକ୍‌ ବ୍ୟାରିଅର୍‌।

ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଚଳକୁ ରୋକିବା ସହ ଅମାନିଆଙ୍କ ଗାଡ଼ିକୁ ଅଟକାଇବା ଲାଗି କମିସନରେଟ୍‌ ପୁଲିସ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ବ୍ଲକିଂ ଚେକିଂ ବେଳେ ପୁଲିସ ଆଗରୁ ଚମ୍ପଟ ମାରୁଥିବା ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ସହଜରେ ଧରି ସାବାଡ଼ କରିବାକୁ ପୁଲିସ ଏହି ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରୁଛି ବୋଲି ପୁଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି।ରାଜଧାନୀରେ ସଡ଼କ ଦୁର୍ଘଟଣା ଏବେ ଚିନ୍ତାଜନକ ସ୍ଥିତିରେ।

କମିସନରେଟ୍‌ ପୁଲିସର ବହୁ ଯୋଜନା ପରେ ବି ଅମାନିଆ ଗାଡ଼ିଚାଳକଙ୍କ ଦୌରାତ୍ମ୍ୟ ଥମିବା ନାଁ ଧରୁନାହିଁ। ମଦ୍ୟପାନ କରି ଗାଡ଼ି ଚଳାଇବା, ମୋବାଇଲ୍‌ରେ ଗପିଗପି ଗାଡ଼ି ଚଳାଇବା ଓ ରଙ୍ଗ୍‌ ରୁଟ୍‌ରେ ବେପରୁଆ ଗାଡ଼ି ଚାଳନା ବନ୍ଦ ହୋଇପାରୁନାହିଁ। ନିୟମିତ ରାତିରେ ବିଭିନ୍ନ ଥାନା ପୁଲିସ ପକ୍ଷରୁ ବ୍ଲକିଂ ଚେକିଂ ଚାଲିଥିଲେ ବି ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ଼ କରିହେଉନାହିଁ।

ସ୍ପାଇକ୍‌ ବ୍ୟାରିଅର୍‌ ହାଇକ୍ବାଲିଟି ଷ୍ଟିଲ୍‌ରେ ଗଠିତ। ଏହାର ଡିଜାଇନ୍‌ ଏମିତି ହୋଇଥାଏ ଯେ ବାଇକ୍‌ ହେଉ କି ଭାରୀଯାନ କେହି ବି ତାହାକୁ ଅତିକ୍ରମ କରି ଆଗକୁ ଯାଇପାରିବ ନାହିଁ। ଏହାକୁ ଉଭୟ ସ୍ଥାୟୀ ଓ ଅସ୍ଥାୟୀ ଭାବେ ରାସ୍ତାରେ ଫିଟ୍‌ କରାଯାଇପାରିବ। କେବଳ ବ୍ଲକିଂ ଚେକିଂ ନୁହେଁ, ଟ୍ରାଫିକ୍‌ ନିୟମ ସହିତ ସମସ୍ତଙ୍କୁ ଅଭ୍ୟସ୍ତ କରାଇବାକୁ ଏହି ବ୍ୟବସ୍ଥା ବେଶ୍ ସଫଳ ହେବ ବୋଲି କମିସନରେଟ୍‌ ପୁଲିସ ଆଶାବାଦୀ ରହିଛି।

Leave A Reply

Your email address will not be published.