Odisha Link
Bridging the Missing Links in Odisha

ଆସନ୍ତାକାଲି ସାରା ଦେଶରେ ଭୋଟ୍ ଗଣତି, କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରହିଛି ଜନାଦେଶ

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ। ଭୋଟ ଦେଇସାରିଛନ୍ତି ଜନତା। ଆଉ କିଏ କେତେ ସିଟ୍ ପାଇବ ସେନେଇ ଦାବି କରିସାରିଲେଣି ନେତା। ଆସନ୍ତାକାଲି ସାରା ଦେଶରେ ଭୋଟ୍ ଗଣତି ହେବ। ରାଜ୍ୟରେ ୧୬୮ଟି କେନ୍ଦ୍ରରେ ହେବ ଭୋଟ୍ ଗଣତି। ୧୪୭ଟି ବିଧାନସଭା ଆସନ ପାଇଁ ୧୪୭ଟି କେନ୍ଦ୍ର ହୋଇଥିବାବେଳେ ୨୧ଟି ଲୋକସଭା ଆସନ ପାଇଁ ୨୧ଟି ଗଣତି କେନ୍ଦ୍ର କରାଯାଇଛି। ୬୯ଟି ସ୍ଥାନରେ କଡ଼ା ସୁରକ୍ଷା ଭିତରେ ଇଭିଏମ ରହିଛି । ଇଭିଏମକୁ ସୁରକ୍ଷିତ ରଖିବାକୁ ୨ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ସ୍ଥାନରେ ୧୫୬ ପ୍ଲାଟୁନ ପୁଲିସ ଓ ସିଇପିଏଫ ମୁତୟନ କରାଯାଇଛି ।

ଅନ୍ୟପଟେ, ନିର୍ବାଚନ ଫଳାଫଳ ଘୋଷଣା ପରବର୍ତ୍ତୀ ଆଇନଶୃଙ୍ଖଳା ସ୍ଥିତି ନେଇ ଓଡ଼ିଶା ପୁଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏନେଇ ସଜାଗ ରହିବା ସହ ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ପୁଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ପକ୍ଷରୁ ନିିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ନିର୍ବାଚନ ଫଳାଫଳ ଘୋଷଣା ପରେ ହେବାକୁ ଥିବା ଶୋଭାଯାତ୍ରା କିମ୍ବା ସାଧାରଣ ଯାତ୍ରା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସତର୍କ କରାଯାଇଛି । ବିଜୟୀ ପ୍ରାର୍ଥୀ ଓ ପ୍ରତିପକ୍ଷ ଯେପରି ମୁହାଁମୁହିଁ ନହୁଅନ୍ତି ସେଥିପାଇଁ ଶୋଭାଯାତ୍ରା ବା ସଭା ପାଇଁ ସ୍ୱତନ୍ତ୍ର ରୁଟ୍ ଓ ସ୍ଥାନ ନିର୍ଦ୍ଧାରଣ କରିବାକୁ ପ୍ରସ୍ତୁତି ଚାଲିଛି।

Leave A Reply

Your email address will not be published.