Odisha Link
Bridging the Missing Links in Odisha

ଖୋଲିଲା ଇଭିଏମ୍‌ ପେଡି, ଘରେ ବସି ନିର୍ବାଚନ ଫଳାଫଳ ଜାଣିବେ କେମିତି ? ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଖୋଲିଲା ଇଭିଏମ୍‌ ପେଡି। ନିର୍ଦ୍ଧାରିତ ହେବ ୧୪୯୨ ପ୍ରାର୍ଥୀଙ୍କ ଭାଗ୍ୟ। କେଉଁ ୧୬୮ ନେତା ପିନ୍ଧିବେ ବିଜୟ ମୁକୁଟ ତାର ଆରମ୍ଭ ହୋଇଛି କାଉଣ୍ଟଡାଉନ୍। ଆଉ କିଛି ସମୟ ପରେ ଆସିବ ୨.୫ କୋଟି ଭୋଟରଙ୍କ ନିଷ୍ପତ୍ତି। ଭୋଟ ଗଣତି ହେବାକୁ ଥିବା ୭୦ଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସମସ୍ତ ଅଫିସରଙ୍କୁ କଡ଼ା ଚେକିଂ କରି ଭିତରକୁ ଛାଡ଼ୁଛନ୍ତି ସୁରକ୍ଷା ବାହିନୀ। ସେହିପରି ଭୋଟ ଗଣତି କେନ୍ଦ୍ର ଭିତରକୁ ମୋବାଇଲ ଫୋନ ନନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର।

ଚଳିତ ସାଧାରଣ ନିର୍ବାଚନରେ ମୋଟ ୧୪୯୨ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି। ପ୍ରତିଦ୍ବନ୍ଦ୍ବିତା କରୁଥିବା ମୋଟ୍ ୧୪୯୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଲୋକସଭାରେ ୨୦୭ ଜଣ ଓ ବିଧାନସଭାରେ ୧୨୮୫ ଜଣଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ୍ ହୋଇଛି। ଠିକ୍‌ ସକାଳ ୮ଟାରେ ଏହା ଖୋଲିଛି। ରାଜ୍ୟର ୭୦ଟି ସ୍ଥାନରେ ଭୋଟ୍ ଗଣତି ଆରମ୍ଭ ହୋଇଛି। ମୋଟ ୩୫୮୯ଟି ଟେବୁଲରେ ଗଣତି ହେଉଛି।

ବିଧାନସଭା ପାଇଁ ୧୭୯୯ଟି ଟେବୁଲ୍ ଏବଂ ଲୋକସଭା ପାଇଁ ୧୭୯୦ଟି ଟେବୁଲ୍ ରହିବ। ଟେବୁଲ୍‌ ଦାୟିତ୍ବରେ ରିଟର୍ଣ୍ଣିଂ ଅଫିସର ଏବଂ ସହକାରୀ ରିଟର୍ଣ୍ଣିଂ ଅଫିସର ରହିବେ। ଲୋକସଭା ଓ ବିଧାନସଭା ଭୋଟ୍ ଗଣତି ହେବାକୁ ଥିବାବେଳେ ୮୭ଟି ସ୍ଥାନରେ ବିଧାନସଭା ପାଇଁ ପୃଥକ ଗଣତି ହେବ। ଏଥିପାଇଁ ମୋଟ୍ ୫୦୭୭ଜଣ ଗଣତି ସୁପରଭାଇଜର୍ ନିୟୋଜିତ ହେବେ। ଗଣତି ପ୍ରକ୍ରିୟା ଯାଞ୍ଚ କରିବାକୁ ୧୨୪ଜଣ ପର୍ଯ୍ୟବେକ୍ଷକ ସୁପରଭାଇଜର୍ ଉପସ୍ଥିତ ରହିବେ।

ନିର୍ବାଚନ ଫଳାଫଳ ଜାଣିବେ କେମିତି:
ସାଧାରଣ ଲୋକମାନେ ଘରେ ବସି ମୋବାଇଲ୍‌ ଓ କମ୍ପ୍ୟୁଟରରେ https://results.eci.gov.in/ ରେ ସାରା ରାଜ୍ୟର ନିର୍ବାଚନ ଫଳାଫଳ ଜାଣିପାରିବେ। ଏହାବାଦ୍ ଜିଲ୍ଲାପାଳମାନେ ଭୋଟ୍ ଗଣତି ପ୍ରକ୍ରିୟା ଏବଂ ପ୍ରାର୍ଥୀ କେତେ ଭୋଟ୍ ପାଉଛନ୍ତି ତା’ର ଟିକିନିଖ୍ ତଥ୍ୟ ଜଣାଇବାକୁ ସର୍ବସାଧାରଣ ସ୍ଥାନରେ ଏଲ୍‌ଇଡି ଟିଭି ଲଗାଇବାକୁ କୁହାଯାଇଛି।

Leave A Reply

Your email address will not be published.