Odisha Link
Bridging the Missing Links in Odisha

ଜୁନ୍‌ ୮ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ: ପାଣିପାଗ ବିଭାଗ

ଓଏଲ୍‌ ବ୍ୟୁରୋ: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ତାତିରୁ ମିଳିବ ଆଶ୍ବସ୍ତି। ଆସନ୍ତା ୪-୫ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)। ଓଡ଼ିଶା ସମେତ ଉତ୍ତର ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରୟାଲସୀମାର କିଛି ଅଞ୍ଚଳ, ଦକ୍ଷିଣ ମହାରାଷ୍ଟ୍ର ଓ କର୍ଣ୍ଣାଟକର କେତେକ ଅଞ୍ଚଳରେ ମୌସୁମୀ ବାୟୁ ସକ୍ରିୟ ହେବାକୁ ପାଗ ଅନୁକୂଳ ରହିଛି ବୋଲି ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି।

ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ ଦିନ ପରେ ଓଡ଼ିଶାକୁ ପ୍ରବେଶ କରିଥାଏ। ତେବେ ଆଇଏମ୍‌ଡି ଯେଉଁଭଳି ଆକଳନ କରିଛି ତାହାକୁ ଦେଖିଲେ ଧାର୍ଯ୍ୟ ସମୟର ଦୁଇ ଦିନ ଆଗରୁ ଓଡ଼ିଶାରେ ‌ମୌସୁମୀ ପ୍ରବେଶ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଆସନ୍ତା ୪ରୁ ୫ ଦିନ ଅର୍ଥାତ୍‌ ଜୁନ୍‌ ୮ କିମ୍ବା ୯ ତାରିଖ ମଧ୍ୟରେ ମୌସୁମୀ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ସେହିପରି ଆଜିଠୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ଲାଗିରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୪ ଓ ୫ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ନୂଆପଡ଼ା, କନ୍ଧମାଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେବ। ୪ରୁ ୭ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ। ୬ ତାରିଖରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.