ଓଡ଼ିଶା ଲୋକସଭା ଫଳାଫଳ: କୋରାପୁଟ ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି। ୨୦୨୪ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଓଡ଼ିଶାରେ ବିଜେପି ଆଗରେ ରହିଛି। ତାପଛକୁ ଶାସକ ଦଳ ବିଜୁ ଜନତା ଦଳ ରହିଛି। ଯଦି ଲୋକସଭା ନିର୍ବାଚନ ଫଳାଫଳକୁ ନଜରରେ ରଖିବା ତେବେ ଓଡ଼ିଶା ଲୋକସଭାରେ ମୋଟ ୨୧ଟି ସିଟ ରହିଛି। ସେଥିମଧ୍ୟରୁ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି। ସବୁଠାରୁ ହାଇପ୍ରୋଫାଇଲ ଆସନ ସମ୍ବଲପୁର ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଭାଗ୍ୟ ପରୀକ୍ଷା କରୁଥିବା ବେଳେ ଆଗୁଆ ରହିଛନ୍ତି। ଏଠାରେ ସେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଲଢେଇ କରୁଛନ୍ତି।
ସେହିପରି କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଗୁଆ ରହିଛନ୍ତି। ଏଠାରେ ଅଂଶୁମାନ ମହାନ୍ତିଙ୍କ ସହ କଡା ଟକ୍କର ହେଉଛି। ବରଗଡ ଆସନରେ ପ୍ରଦୀପ ପୁରୋହିତ, ବ୍ରହ୍ମପୁର ଆସନରେ ପ୍ରଦୀପ ପାଣିଗ୍ରାହୀ, ଭୁବନେଶ୍ୱର ଆସନରେ ଅପରାଜିତା ଷଡଙ୍ଗୀ, ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର, ବଲାଙ୍ଗୀରରେ ସଙ୍ଗୀତା ସିଂହଦେଓ ଆଗୁଆ, କଳାହାଣ୍ଡିରେ ବିଜେପି ପ୍ରାର୍ଥୀ ମାଳବିକା ଦେଓ, କନ୍ଧମାଳରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସମାନ୍ତ, ଯାଜପୁରରେ ସର୍ମିଷ୍ଠା ସେଠୀ ଆଗୁଆ ରହିଛନ୍ତି। ଅନ୍ୟପଟେ କଂଗ୍ରେସର କୋରାପୁଟରେ ସପ୍ତଗିରି ଉଲାକା ଆଗୁଆ ରହିଛନ୍ତି।