ଓଡ଼ିଶାରେ ବିଜେଡିର ପରାଜୟ : ୧୦ଟି କାରଣ
ପାଣ୍ଡିଆନ ଓ ସମଦୂରତ୍ବ ନାମରେ ସୁବିଧାବାଦ
ଓଡ଼ିଶାରେ ୨୦୧୯ ସାଧାରଣ ନିର୍ବାଚନ ଭଳି ଚଳିତ ଥର ମଧ୍ୟ ସମସ୍ତ ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଛି । ବାହୁଡ଼ା ମତ ଠାରୁ ବାସ୍ତବ ମତ ଭିନ୍ନ ସାବ୍ୟସ୍ତ ହୋଇଛି । ପ୍ରଭେଦ ଏତିକି, ୨୦୧୯ରେ ବିଜୁ ଜନତା ଦଳ ବାହୁଡ଼ା ମତ ଠାରୁ ଯଥେଷ୍ଟ ଅଧିକ ଆସନ ଜିତିଥିବାବେଳେ ଚଳିତ ନିର୍ବାଚନରେ ଏହି ଆଞ୍ଚଳିକ ଦଳ ବାହୁଡ଼ା ମତ ଠାରୁ ଯଥେଷ୍ଟ କମ ସଂଖ୍ୟକ ଆସନ ହାସଲ କରିଛି । ଅନ୍ୟପଟେ ଭାରତୀୟ ଜନତା ପାର୍ଟିକୁ ନେଇ ଯେଉଁ ପୂର୍ବାନୁମାନ ହୋଇଥିଲା ତାହାଠାରୁ ଯଥେଷ୍ଟ ଅଧିକ ଆସନ ହାସଲ କରିଛି । ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ସହ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଛି। ଏହା ସହ ୨୧ ଲୋକସଭା ଆସନରୁ ୧୯ଟି ବିଜେପି ଖାତାକୁ ଯାଇଛି। ୨୪ ବର୍ଷ ଧରି ଓଡ଼ିଶାରେ ନିରଙ୍କୁଶ କ୍ଷମତା ଭୋଗ କରୁଥିବା ବିଜେଡି ୨୦୧୯ରେ ୧୧୩ ଆସନ ପାଇଥିବାବେଳେ ଏଥର ତାହାର ଅଧାରୁ ମଧ୍ୟ କମ ଆସନ ପାଇଛି।
କ’ଣ କାରଣ? କାହିଁକି ବିଜେଡି ଶୋଚନୀୟ ଭାବେ ପରାଜୟ ବରଣ କଲା ଏବଂ ବିଜେପି ଅବିଶ୍ବସନୀୟ ବିଜୟ ହାସଲ କଲା? ଏ ନେଇ ୧୦ଟି କାରଣ ମନକୁ ଆସୁଛି ।
- ୧. ସମଦୂରତ୍ବ ନାମରେ ସୁବିଧାବାଦ : ୨୦୦୯ରେ ବିଜେପି ସହ ସମ୍ପର୍କ ତୁଟାଇବା ପରେ ବିଜେଡି ନିରନ୍ତର ସମଦୂରତ୍ବର କଥା କହି ଆସିଛି । ସେ ବିଜେପି ନେତ୍ବତ୍ବରେ ଗଢ଼ା ହୋଇଥିବା ଏନ୍ଡିଏ ମେଣ୍ଟରେ ନାହିଁ କି କଂଗ୍ରେସ ସହ ଇଣ୍ଡିଆ ମେଣ୍ଟରେ ନାହିଁ। ଅଥଚ ବିଜେଡି ସୁବିଧାବାଦର ରାଜନୀତି କରିଆସିଛି। କେନ୍ଦ୍ରରେ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେବା ହେଉ ବା ବିଜେପି ସହ ମିଶି ଓଡ଼ିଶାରେ ରାଜ୍ୟସଭା ପାଇଁ ମିଳିତ ପ୍ରାର୍ଥୀ ଦେବା ହେଉ, ବାରମ୍ବାର ବିଜୁ ଜନତା ଦଳ ନିଜକୁ ବିଜେପିର ସହଯୋଗୀ ଭାବେ ଉପସ୍ଥାପିତ କରିଛି। ଏଣୁ ଓଡ଼ିଶାର ବିଜ୍ଞ ମତଦାତା ବିଚାରକଲେ, “ଯଦି ବିଜେଡିକୁ ଭୋଟ୍ ଦେଲେ ବିଜେପି ସମର୍ଥନ ପାଉଛି, ତେବେ ଆମେ ସିଧରାସଳଖ ବିଜେପିକୁ ଭୋଟ୍ ଦେବୁନାହୁଁ କାହିଁକି?” ପୂର୍ବାଞ୍ଚଳରେ ବିଜେପି ଉଦୟର ଏ ଗୋଟିଏ ପ୍ରମୁଖ କାରଣ।
- ୨. ଭି. କେ. ପାଣ୍ଡିଆନ୍ : ବିଜୁ ଜନତା ଦଳ ଏଥର ନିର୍ବାଚନ ପାଇଁ ୪୦ ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରିଥିଲେ ବି ବାସ୍ତବରେ ଦଳରେ ମାତ୍ର ଦୁଇଜଣ ତାରକା ପ୍ରଚାରକ ଥିଲେ; ଜଣେ ନିଜେ ଦଳ ମୁଖିଆ ନବୀନ ପଟ୍ଟନାୟକ ଓ ଆଉ ଜଣେ ଦଳରେ ଏବେ ଏବେ ଯୋଗ ଦେଇଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍। ନବୀନ ବାବୁ ମାତ୍ର ଅଳ୍ପ କେତୋଟି ଆସନ ପାଇଁ ପ୍ରଚାରକୁ ଯାଇଥିବାବେଳେ ପାଣ୍ଡିଆନ ଏକାକୀ ସମସ୍ତ ୧୪୭ ଆସନରେ ତାରକା ପ୍ରଚାରକ ସାଜିଥିଲେ। ଓଡ଼ିଆ କହିପାରୁନଥିବା ନବୀନଙ୍କୁ ଓଡ଼ିଶାବାସୀ ଗ୍ରହଣ କରିପାରୁଛନ୍ତି, ଏଣୁ ତାଙ୍କଠାରୁ ଯଥେଷ୍ଟ ଭଲ ଓଡ଼ିଆ କହୁଥିବା ପାଣ୍ଡିଆନଙ୍କୁ ବି ସେମାନେ ଗ୍ରହଣ କରିନେବେ, ବିଜେଡିର ଏ ଧାରଣା ଭୁଲ ପ୍ରମାଣିତ ହୋଇଛି। ନବୀନଙ୍କ ପଛରେ ଜଣେ ଗର୍ବିତ ଓଡ଼ିଆ ବାପାଙ୍କର ପରିଚୟ ଓ ନିଜର ନିର୍ମଳ ଭାବମୂର୍ତ୍ତି ଖମ୍ବ ହୋଇ ଠିଆ ହୋଇଥିଲା। ଯେତେ ଓଡ଼ିଆ ବୋଲି ପରିଚୟ ଦେବାକୁ ଚେଷ୍ଟାକଲେ ବି ତାମିଲ ପାଣ୍ଡିଆନଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଓଡ଼ିଶାବାସୀ ଗ୍ରହଣ କଲେନାହିଁ। ଅବଶ୍ୟ ସେ ଉତ୍ତରାଧିକାରୀ ନୁହନ୍ତି ବୋଲି ଶେଷ ପର୍ଯ୍ୟାୟ ନିର୍ବାଚନର ମାତ୍ର ଦିନଟିଏ ପୂର୍ବରୁ ନବୀନ ଘୋଷଣା କରିଥିଲେ। ସେତେବେଳକୁ ନେଡ଼ିଗୁଡ଼ କହୁଣିକୁ ବୋହି ସାରିଥିଲା।
- ୩. ପ୍ରାର୍ଥୀଙ୍କୁ ନେଇ ପରୀକ୍ଷାନିରୀକ୍ଷା : ବିଜେଡିର ଗଡ଼ ଥିଲା ଉପକୂଳ ଓଡ଼ିଶା। କିନ୍ତୁ ସେଠାରେ ପ୍ରାର୍ଥୀ ଚୟନରେ ବ୍ୟାପକ ପରୀକ୍ଷାନିରୀକ୍ଷା ଦଳ ପାଇଁ କାଳ ହେଲା। ଲୋକଙ୍କ ସହ ଆଗରୁ ଆଦୌ ନଥିବା ବ୍ୟକ୍ତିଙ୍କୁ ଆଣି ପ୍ରାର୍ଥୀ କରାଇବା, ନିର୍ବାଚନ ମଣ୍ଡଳୀ ବାହାର ନେତାଙ୍କୁ ଟିକେଟ ଦେବା, ଦୁଇ ନିର୍ବାଚନ ମଣ୍ଡଳୀ ମଧ୍ୟରେ ପ୍ରାର୍ଥୀ ଅଦଳବଦଳ କରିବା ଓ ସର୍ବୋପରି ସମାନ ପ୍ରାର୍ଥୀଙ୍କୁ ବାରମ୍ବାର ପ୍ରାର୍ଥୀ କରାଇବା ପରି ପଦକ୍ଷେପ ସବୁ ବିଜେଡି ପାଇଁ ପରାଜୟର ଅନ୍ୟତମ କାରଣ ହେଲା। ଉଦାହରଣ ସ୍ବରୂପ, ଅରୂପ ପଟ୍ଟନାୟକ ପୁରୀ ଲୋକ ହୋଇଥିଲେ ବି ସେ କେବେହେଲେ ଲୋକଙ୍କ ସହ ସମ୍ପର୍କରେ ନଥିଲେ। କିନ୍ତୁ ଦଳ ତାଙ୍କୁ ପୁରୀ ଲୋକସଭାରୁ ପ୍ରାର୍ଥୀ କରିଥିଲା; ତାହା ପୁଣି ୬ ବର୍ଷ ହେଲା ଲୋକଙ୍କ ସହ ଥିବା ବିଜେପିର ତୁଙ୍ଗ ନେତା ସମ୍ବିତ ପାତ୍ରଙ୍କ ବିପକ୍ଷରେ। ଅନୁରୂପ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ବିଧାନସଭାରୁ ଓ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବା ମଧ୍ୟ ମତଦାତାଙ୍କ ଦ୍ବାରା ଗ୍ରହଣୀୟ ହେଲାନାହିଁ। ସେହିପରି ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ମଧ୍ୟରେ ପ୍ରାର୍ଥୀ ଅଦଳବଦଳ ବିଜେଡି ପାଇଁ ମହରଗ ସାବ୍ୟସ୍ତ ହୋଇଛି। ଉପକୂଳରେ ଅଧିକ ହୋଇଥିବା ଏ ଧାରା ଓଡ଼ିଶାର ଅନ୍ୟ ପ୍ରାନ୍ତରେ ମଧ୍ୟ ଉଣାଅଧିକେ ପରିଲକ୍ଷିତ ହୋଇଛି।
- ୪. ଓଡ଼ିଆ ଅସ୍ମିତା : ଏଥର ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ପ୍ରମୁଖ ପ୍ରସଙ୍ଗ ଥିଲା “ଓଡ଼ିଆ ଅସ୍ମିତା”। ରାଷ୍ଟ୍ରପତିଙ୍କ ସମେତ ଦେଶର ବଡ଼ବଡ଼ ପଦରେ ୧୦ରୁ ଅଧିକ ଓଡ଼ିଆ ବ୍ୟକ୍ତି ଅବସ୍ଥାପିତ ହୋଇଥିବାବେଳେ ଅଣଓଡ଼ିଆ ପ୍ରଶାସକଙ୍କ ହାତରେ ଓଡ଼ିଶା ସରକାରଙ୍କ ମଙ୍ଗ ରହିବା ଓଡ଼ିଶାବାସୀଙ୍କ ପାଇଁ ଗ୍ରହଣୀୟ ହୋଇନଥିଲା। ତରବରିଆ ଭାବରେ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା, ମନ୍ଦିର ରୂପାନ୍ତରଣ କରିବା ଏବଂ ଓଡ଼ିଆ ମହାପୁରୁଷଙ୍କ ସ୍ମାରକୀ ନିର୍ମାଣ କରି ଓଡ଼ିଆଙ୍କ ହୃଦୟ ଜିଣିବାକୁ ବିଜେଡି ସରକାର ଚେଷ୍ଟା କରିଥିଲେ ବି ତାହା କାମ କରିନଥିଲା। କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ନାମକୁ ‘କଣ୍ଠକବି’ ବୋଲି ଘୋଷଣା ହେବା ପରେ ମଧ୍ୟ ବିଜେଡି ସରକାରୀ ଭାବେ ଏ ନେଇ କ୍ଷୋଭ ପ୍ରକାଶ କରିନଥିଲା, ବରଂ ଘଟଣାକୁ ହେୟଜ୍ଞାନ କରିଥିଲା। ଅନ୍ୟପଟେ ଜଗନ୍ନାଥଙ୍କୁ ନେଇ ଭୁଲବଶତଃ ଭୁଲ ବକ୍ତବ୍ୟ ରଖିଥିବା ବିଜେପି ନେତା ସମ୍ବିତ ପାତ୍ର ସର୍ବସାଧାରଣରେ କ୍ଷମାମାଗି ହୃଦୟ ଜିଣିଥିଲେ। ୪୦ ବର୍ଷ ଧରି ରାଜନୀତିରେ ସକ୍ରିୟ ଥିବା ଓଡ଼ିଆ ନେତା ୪ ମାସ ତଳେ ଦଳକୁ ଆସିଥିବା ପାଣ୍ଡିଆନଙ୍କ ପାଖରେ ନତମସ୍ତକ ହେବା ମଧ୍ୟ ଓଡ଼ିଆ ଲୋକଙ୍କ ଦ୍ବାରା ଗ୍ରାହ୍ୟ ହେଲାନାହିଁ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ସଭାରେ ପ୍ରତିଶ୍ରୁତି ଦେଇଥିଲେ ଯେ ବିଜେପି କ୍ଷମତାକୁ ଆସିଲେ ଜଣେ ଖାଣ୍ଟି ଓଡ଼ିଆ ଲୋକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ।
- ୫. ବିଜୁ ଜନତା ଦଳର ରୂପାନ୍ତରଣ : ପାଣ୍ଡିଆନଙ୍କ କ୍ଷମତା ବୃଦ୍ଧି ସହ ବିଜୁ ଜନତା ଦଳ ରୂପାନ୍ତରିତ ହୋଇଚାଲିଥିଲା। ଏହା ଏକ ରାଜନୈତିକ ଦଳ ବଦଳରେ କ୍ରମେ ଏକ କର୍ପୋରେଟ୍ କମ୍ପାନୀ ଭଳି କାମ କରୁଥିଲା। ପାଣ୍ଡିଆନ ଏ କମ୍ପାନୀର ନୂଆ ସିଇଓ ଭଳି କାର୍ଯ୍ୟକଲେ। ଭାଇ ବଦଳରେ ବରିଷ୍ଠ ନେତା ସାର୍ ଭାବରେ ସମ୍ବୋଧିତ ହେଲେ। ପ୍ରବୀଣ ରାଜନେତାମାନେ ନବୀନ ପ୍ରଶାସନଙ୍କ ଅଧୀନରେ କାମ କଲେ। ପୁରୁଖା ନେତାଙ୍କ ବଦଳରେ ପ୍ରଶାସକମାନେ ଦଳୀୟ ମାମଲାରେ ଅଧିକ ମୁଣ୍ଡ ଖେଳାଇଲେ। ମନ୍ତ୍ରୀମାନେ ସଚିବଙ୍କ ଅଧୀନରେ କାମକଲେ। ନୂଆ-ଓ ଭଳି ଯୁବସୁଲ୍ଲଭ କାର୍ଯ୍ୟକ୍ରମ ସବୁ ଓଡ଼ିଆ ଯୁବପିଢ଼ିକୁ କୁପଥଗାମୀ କରାଉଛି ବୋଲି ବୟୋଜ୍ୟେଷ୍ଠ ମତଦାତାଙ୍କର ଧାରଣା ହେଲା।
- ୬. ବିଦ୍ରୋହ ବଳେଇଗଲା : ସବୁ ନିର୍ବାଚନ ପୂର୍ବରୁ ପ୍ରାର୍ଥୀତ୍ବ ବିତରଣ ନେଇ କିଛି ନେତା ଅସନ୍ତୁଷ୍ଟ ହୁଅନ୍ତି, କିଛି ନେତା ଦଳ ଛାଡ଼ନ୍ତି ଓ ଆଉ କିଛି ନେତା ଦଳରେ ରହି ଦଳବିରୋଧୀ କାମ କରନ୍ତି। ତେବେ ସେସବୁକୁ ସମାଧାନ କରି ଏକ ସକାରାତ୍ମକ ପରିସ୍ଥିତି ତିଆରି କରିବାରେ ସମର୍ଥ ବିଜେଡି ଏଥର ସେସବୁକୁ ଗୁରୁତ୍ବ ଦେଇନଥିଲା। ଦଳରେ ବହୁ ସଂଖ୍ୟାରେ ନେତା ବିଦ୍ରୋହୀ ଓ ବିରୋଧୀ ହୋଇ ବାହାରିଲେ। ଯେଉଁମାନଙ୍କ ଉପରେ ଦଳ କ୍ରୁର ପଦକ୍ଷେପ ଗ୍ରହଣ କଲା ସେମାନେ କଣ୍ଟା ହୋଇ ବଢ଼ିଲେ। ବିଜେଡି ଛାଡ଼ି ବିଜେପିକୁ ଯାଇଥିବା ଅଧିକାଂଶ ନେତା ଏଥର ନିର୍ବାଚନରେ ସଫଳ ହୋଇଛନ୍ତି। ସେହିପରି ବିଜେଡି ଟିକେଟ୍ ପାଇବାର ଆଶା ଛାଡ଼ି ବିଜେପିରୁ ଟିକେଟ୍ ପାଇଥିବା ନବୀନ ନେତା ମଧ୍ୟ ଅନୁରୂପ ଭାବେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ରଙ୍କ ଭଳି ନେତା, ଯେଉଁମାନେ ଅତ୍ୟନ୍ତ କଡ଼ା ଭାଷାରେ ନବୀନ ପଟ୍ଟନାୟକ ଓ ବିଜେଡିକୁ ଗାଳି କରୁଥିଲେ ସେମାନଙ୍କୁ ଦଳରେ ସାମିଲ କରିବା ମଧ୍ୟ ବିଜେଡି ପାଇଁ ମହରଗ ସାବ୍ୟସ୍ତ ହେଲା।
- ୭. ପ୍ରତିହିଂସା ଦାଉ ସାଧିଲା : ନବୀନ ପଟ୍ଟନାୟକ ମୂଳରୁ ନିର୍ମଳ ଭାବମୂର୍ତ୍ତି ରଖି ଆସିଛନ୍ତି। ତାଙ୍କ ଦଳରେ ସେ ବିରୋଧୀମାନଙ୍କୁ ଅତ୍ୟନ୍ତ ଚତୁରତାର ସହ ଦୂରେଇଛନ୍ତିି। କିନ୍ତୁ ୨୦୧୭ ମସିହା ପରଠାରୁ ପାଣ୍ଡିଆନଙ୍କ କ୍ଷମତା ଧୀରେଧୀରେ ବଢ଼ିବା ସହ ଦଳ ପ୍ରତିହିଂସାର ରାଜନୀତି କଲା, ଯାହା ସାଧାରଣତଃ ବିଜେଡି ସଂସ୍କୃତିର ପରିପନ୍ଥୀ। ବୈଜୟନ୍ତ ପଣ୍ଡାଙ୍କ ଉପରେ ଦାଉ ଦେଖାଇବାକୁ ଯାଇ ଓଟିଭି ଓ ଇମ୍ଫାକୁ ହଇରାଣ କରିବା ଏବଂ ବଂଶୀଧର ପଣ୍ଡାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସମବେଦନା ନଜଣାଇବା ଆଦି ପ୍ରତିହିଂସା ରାଜନୀତିର ଅୟମାରମ୍ଭ ଥିଲା। ପାଣ୍ଡିଆନଙ୍କ ଶରଣାପନ୍ନ ହେବାକୁ ଅରାଜି ପ୍ରଦୀପ ପାଣିଗ୍ରାହୀଙ୍କୁ ଏକାଧିକ ମାମଲାରେ ଫସାଇବା, ତାଙ୍କ ପାରିବାରିକ ପ୍ରସଙ୍ଗକୁ (ଝିଅର ବିବାହ) ରାଜନୈତିକ ପ୍ରସଙ୍ଗ କରିବା, ପ୍ରଦୀପଙ୍କ ଜ୍ବାଇଁ ଓ ସମୁଦିଙ୍କୁ ହଇରାଣ କରିବା ଏ ଦିଗରେ ବିଜେଡିର ଆଉ ଏକ ଚରମ ପଦକ୍ଷେପ ଥିଲା। ଏ ଧାରା ସୌମ୍ୟ ପଟ୍ଟନାୟକଙ୍କ ବେଳକୁ ଅଧିକ ତୀବ୍ର ହୋଇହେଲା। ଓଟିଭି ଭଳି ସମ୍ବାଦ କାର୍ଯ୍ୟାଳୟରେ ମଧ୍ୟ ପୁଲିସ ପଶିଲା। ସମ୍ବାଦର କର୍ମଚାରୀ ଓ ପୂର୍ବତନ କର୍ମଚାରୀଙ୍କୁ ନିଯୁକ୍ତିଦାତାଙ୍କ ବିରୋଧରେ ଠିଆ କରାଗଲା। ଏପରିକି ସୌମ୍ୟ ପଟ୍ଟନାୟକଙ୍କ ସମୁଦିଙ୍କ ବ୍ୟବସାୟକୁ ମଧ୍ୟ ପ୍ରତିହତ କରାଗଲା। ଶେଷରେ ସୌମ୍ୟ ପଟ୍ଟନାୟକଙ୍କୁ ସମ୍ବାଦଠାରୁ ଦୂରେଇ ରଖାଯିବା ପରେ ବିଜେଡି ସରକାର ଶାନ୍ତ ପଡ଼ିଥିଲା। ଏସବୁ ପ୍ରସଙ୍ଗ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏତେ ପ୍ରସରିଗଲା ଯେ ସାଧାରଣ ମତଦାତା ମଧ୍ୟ ବିଚଳିତ ହେଲେ ଓ ନିର୍ବାଚନରେ ଏହାର ଉତ୍ତର ଦେଲେ।
- ୮. ତିନି ନେତାଙ୍କୁ ତୀର : ଏଥର ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଜଣେ ବ୍ୟକ୍ତିଙ୍କୁ ବିରୋଧ କରିଥିଲା, ସେ ହେଲେ ଅଣଓଡ଼ିଆ ପାଣ୍ଡିଆନ୍। ଏପରିକି ରାଜନୈତିକ ବିଭେଦ ଭିନ୍ନ ନବୀନ ପଟ୍ଟନାୟକଙ୍କ ନାମରେ ବିଜେପିର କୌଣସି ନେତା ଅପଶବ୍ଦ ପ୍ରୟୋଗ କରିନଥିଲେ। ବରଂ ନବୀନଙ୍କ ଶାରିରୀକ ଅସୁସ୍ଥତା ନେଇ ମୋଦିଙ୍କଠାରୁ ଆରମ୍ଭ କରି ବହୁ ବିଜେପି ନେତା ଚିନ୍ତା ପ୍ରକଟ କରିଥିଲେ। ନବୀନଙ୍କୁ ପାଣ୍ଡିଆନ୍ ଗୃହବନ୍ଦୀ କରି ରଖିଛନ୍ତି ଏବଂ ନିଜ ଆଙ୍ଗୁଠିରେ ଉଠବସ କରାଉଛନ୍ତିି ବୋଲି ବିଜେପି ଅଭିଯୋଗ କରିଥିଲା। ଅନ୍ୟପଟେ ମୋଦି ଓ ଶାହ ବିଜେଡି ବିରୋଧରେ ଯେତେ କଡ଼ା କଥା କହିଥିଲେ ବି ପାଣ୍ଡିଆନ୍ କିମ୍ବା ନବୀନ ସେମାନଙ୍କୁ ଆଦୌ ଆକ୍ଷେପ ନକରିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ବିଜେପିର ତିନି ନେତା ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରିଥିଲା ବିଜେଡି। ଲାଗୁଥିଲା ସତେଯେମିତି ବିଜେଡି ମୋଦି ଓ ଶାହଙ୍କ ସହ ଅଛି, ବିଜେପି ସହ ଅଛି, କିନ୍ତୁ ଏହି ତିନି ନେତାଙ୍କୁ ଓଡ଼ିଶାରେ ହରାଇବାକୁ ଚାହୁଛି। ବିଜେଡିର ଏଭଳି ଦ୍ବାନ୍ଦ୍ବାତ୍ମକ ସମୀକରଣ ଓଡ଼ିଶା ଭୋଟରଙ୍କୁ ଦଳ ପ୍ରତି ବିମୁଖ କରାଇଥିଲା।
- ୯. ଦୁର୍ବଳ ପ୍ରସଙ୍ଗ : ଏଥର ବିଜୁ ଜନତା ଦଳ ପାଖରେ “ମାଗଣା ବିଜୁଳି” ଛଡ଼ା ଆଉ କିଛି ନୂଆ ପ୍ରସଙ୍ଗ ନଥିଲା। ଏ ମାଗଣା ବିଜୁଳି ପ୍ରସଙ୍ଗ ମଧ୍ୟ ଭାରତୀୟ ଜନତା ପାର୍ଟି ଓ ଅନ୍ୟ ଦଳର ପ୍ରତିଶ୍ରୁତିରେ ସାମିଲ ଥିଲା। ବିଜେଡି କେବଳ ନିଜର ପୁରୁଣା ଯୋଜନାକୁ ନେଇ ନିର୍ବାଚନ ପ୍ରଚାର କରିଥିଲା। ଅନ୍ୟପଟେ ଓଡ଼ିଶାରେ ଏଯାଏଁ ଲାଗୁ ହୋଇ ପାରୁନଥିବା ଯୋଜନାକୁ ଭାରତୀୟ ଜନତା ପାର୍ଟି ପ୍ରସଙ୍ଗ କରିଥିଲା। ଏହା ଭିନ୍ନ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ରତ୍ନଭଣ୍ଡାର ପ୍ରସଙ୍ଗ ମଧ୍ୟ ବିଜେପିକୁ ସୁହାଇଥିଲା। ଓଡ଼ିଶାରେ ରେଳ, ରାଜପଥ ଓ ପ୍ରଧାନମନ୍ତ୍ରୀ ଆବାସ ତଥା ଗ୍ରାମ୍ୟ ବିଦ୍ୟୁତକରଣ ଆଦି ଉନ୍ନୟନରେ ବିଜେଡି ସରକାରର କୌଣସି ଅବଦାନ ନାହିଁ ବୋଲି ବିଜେପି ଲୋକଙ୍କୁ ବୁଝାଇ ପାରିଥିଲା।
- ୧୦. ଅତ୍ୟଧିକ ଦର୍ପ ଓ ଆତ୍ମବିଶ୍ବାସ : ବିଜେଡି ପରାଜୟର ଅନ୍ୟତମ ପ୍ରମୁଖ କାରଣ ହେଲା ଏହି ଦଳର ନେତାମାନଙ୍କର ଅତ୍ୟଧିକ ଦର୍ପ ଓ ଉତୁରା ଆତ୍ମବିଶ୍ବାସ। ଗଣମାଧ୍ୟମ, ସରକାରୀ ଅଧିକାରୀ, ବ୍ୟବସାୟୀ ଓ ଅପରାଧୀଙ୍କୁ ବିଜେଡି ପକେଟରେ ପୂରାଇ ବୁଲୁଛି ବୋଲି ସାଧାରଣରେ ଧାରଣାଟିଏ ତିଆରି ହୋଇ ସାରିଥିଲା। ନବୀନ ଅପରାଜେୟ ଓ କୌଣସି ଶକ୍ତି ତାଙ୍କୁ ହରାଇ ପାରିବନାହିଁ ବୋଲି ବିଜେଡିର ଦୃଢ଼ତା ମଧ୍ୟ ଲୋକଙ୍କୁ ଦଳ ବିରୋଧରେ ପ୍ରଚୋଦିତ କରିଥିଲା। ବିଶେଷ କରି ନବୀନ ନୁହନ୍ତି, ପାଣ୍ଡିଆନ ହିଁ ଦଳର ସର୍ବମାନ୍ୟ ନେତା ଓ ନବୀନଙ୍କୁ କେବଳ ଭୋଟ୍ ପାଇବା ପାଇଁ ଏକ ମୁଖା ଭାବେ ବ୍ୟବହାର କରାଯାଉଛି, ଏ କଥା ମଧ୍ୟ ସର୍ବସାଧାରଣରେ ସ୍ପଷ୍ଟ ହୋଇ ସାରିଥିଲା; ଏହା ଓଡ଼ିଆ ଭୋଟରଙ୍କୁ ଆପେ ବିଜେଡି-ବିରୋଧୀ କରି ଦେଇଥିଲା।
ଚଳିତ ନିର୍ବାଚନରେ କୌଣସି ଦଳୀୟ ରଣନୀତି କାମ କରିନାହିଁ। ଓଡ଼ିଶାର ଜନତା ପରିବର୍ତ୍ତନ ଆଶା କରିଛନ୍ତି ଏବଂ ତଦନୁଯାୟୀ ନିଜର ମତଦାନ କରିଛନ୍ତି। ମୋତେ ଯଦି ଏ ପରିବର୍ତ୍ତନର କାରଣ ଅତି ସଂକ୍ଷିପ୍ତରେ ପ୍ରକାଶ କରିବାକୁ ପଡ଼େ, ତେବେ ମୋର ଉତ୍ତର ହେବ – “ପାଣ୍ଡିଆନ ଓ ସମଦୂରତ୍ବ ନାମରେ ସୁବିଧାବାଦ।”
ନୂଆ ସରକାର ଗଢ଼ିବାକୁ ଯାଉଥିବା ବିଜେପିକୁ ଅଭିନନ୍ଦନ ।
ଶୁଭ୍ରାଂଶୁ ପଣ୍ଡା ଜଣେ ଜଣାଶୁଣା ଓଡ଼ିଆ ଲେଖକ ଓ ଓଡ଼ିଶା ଲିଙ୍କ୍ ଖବର ପୋର୍ଟାଲର ସଂପାଦକ