Odisha Link
Bridging the Missing Links in Odisha

ଦିଲ୍ଲୀ ରାଜନୀତି ହଲଚଲ, ଏନଡିଏର ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ

ଓଏଲ୍‌ ବ୍ୟୁରୋ: ଆସି ସାରିଛି ଲୋକସଭା ନିର୍ବାଚନ ଫଳାଫଳ। ଏନଡିଏ ଗରିଷ୍ଠତା ହାସଲ କରି ସାରିଥିଲେ ବି ଜାତୀୟ ରାଜନୀତି ହଲଚଲ। କାରଣ ବିଗତ ୨ ଥର ଲୋକସଭା ନିର୍ବାଚନରେ ବିଜେପି ନିଜେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା କିନ୍ତୁ ଚଳିତ ନିର୍ବାଚନ ଫଳାଫଳରେ ବିଜେପି ମ୍ୟାଜିକ ନମ୍ବର ଛୁଇଁ ପାରି ନାହିଁ। ତେଣୁ ଏନଡିଏ ଉପରେ ରହିଛି ନଜର।

ଏସବୁ ମଧ୍ୟରେ ଆରମ୍ଭ ହୋଇଛି ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ। ନୂଆଦିଲ୍ଲୀରେ ହେଉ ଥିବା ଏହି ବୈଠକରେ ଆନ୍ଧ୍ରପ୍ରଦେଶର ବିଜୟୀ ଦଳ ଟିଡିପି ଏବଂ ବିଜେପିର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜେଡିୟୁ ଯୋଗ ଦେଇଛନ୍ତି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ଚନ୍ଦ୍ରବାବୁଙ୍କ ଟିଡିପି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମାଗିପାରେ। ସେହିପରି ନୀତୀଶ କୁମାରଙ୍କ ଭୂମିକା କ’ଣ ରହିବ ତା ଉପରେ ବି ସମସ୍ତଙ୍କ ନଜର ରହିଛି। ଜୁନ୍ ୪ର ଜନାଦେଶ ପରେ ଏବେ ଅପେକ୍ଷା କିଏ କେତେ ବେଳେ ଶପଥ ଗ୍ରହଣ କରିବେ। ଆଜି ଏହା ଉପରେ ସାରା ଦେଶର ନଜର ରହିଛି ।

ଅନ୍ୟପଟେ ଆଜି ଇଣ୍ଡିଆ ମେଣ୍ଟର ବୈଠକ ବସିବ। ବୈଠକ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟ ବଡ଼ ଅଫର ଦେଇଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେହିପରି ନୀତୀଶ କୁମାରଙ୍କୁ ଶରଦ ପାଓ୍ବାର ଓ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କୁ ରେବନ୍ତ ରେଡ୍ଡୀ ଇଣ୍ଡିଆ ମେଣ୍ଟରେ ସାମିଲ କରିବାକୁ ପ୍ରୟାସ କରୁଥିବା କୁହାଯାଉଛି। କିନ୍ତୁ ଅମିତ ଶାହ ଉଭୟ ସହଯୋଗୀଙ୍କ ସହ କଥା ହୋଇସାରିଛନ୍ତି । ନୀତୀଶ ଓ ନାଇଡୁ ଏନଡିଏରେ ରହିବେ ଏବଂ ଆଜିର ବୈଠକରେ ଯୋଗଦେବେ ବୋଲି ଜଣାପଡିଛି।

ଟିଡିପି କରିପାରେ ବଡ଼ ଦାବି:
ଚଳିତ ଲୋକସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ଦମଦାର ପ୍ରଦର୍ଶନ କରିଛି ଟିଡିପି। ଏନଡିଏର ସହଯୋଗୀ ଦଳ ମଧ୍ୟ ଟିଡିପି। କୁହାଯାଉଛି ଲୋକସଭା ବାଚସ୍ପତି ପଦକୁ ବାଦ୍ ଦେଇ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାବି କରିବାରେ ଟିଡିପି । ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ ପରିବହନ, ଗ୍ରାମାଂଚଳ ବିକାଶ, କୃଷି କିମ୍ବା ସୂଚନା ଓ ପ୍ରସାରଣ ବିଭାଗକୁ ନିଜ ଅଧିନରେ ରଖିବାକୁ ଦାବି କରିପାରନ୍ତି ଚନ୍ଦ୍ରବାବୁ ନାଇଡୁ। କେନ୍ଦ୍ରରେ ମେଣ୍ଟ ସରକାରରେ ଆନ୍ଧ୍ରପ୍ରଦେଶ ରାଜନୀତିର ବଡ଼ ଚେହେରା ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଭୂମିକା ରହିବ ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି।

Leave A Reply

Your email address will not be published.