ଥରୁଟିଏ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଚାହୁଁଛି: ପ୍ରଦୀପ ପାଣିଗ୍ରାହୀ

ଓଏଲ୍ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ୨୦୨୪ ନିର୍ବାଚନରେ ବିଜେପିକୁ ସଂଖ୍ୟା ଗରିଷ୍ଠତା ମିଳିଛି। ବ୍ରହ୍ମପୁରରୁ ଭଲ ମାର୍ଜିନରେ ବିଜୟ ହାସଲ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ। ବିଜୟ ପରେ କହିଛନ୍ତି, ଏଠାରେ ଜନତାଙ୍କ ସରକାର, ଲୋକଙ୍କ ସରକାର ହେବ। ପୂରା ଭାରତବାସୀଙ୍କୁ ଚକିତ କରିଛନ୍ତି ଓଡ଼ିଶାବାସୀ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ଓଡ଼ିଶାବାସୀ ଜଣାଇଦେଲେ। ଯେଉଁଠି ନୀତି ନାହିଁ, ନେତା ଠିକ୍ ନାହାନ୍ତି ସେ ଦଳ ତିଷ୍ଠିବନି। ପ୍ରତିଶୋଧ ପରାୟଣ ରାଜନୀତିରେ ବିଶ୍ବାସ କରନ୍ତି ନାହିଁ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ ବ୍ରହ୍ମପୁରରେ ୧ ଲକ୍ଷ ୬୫ ହଜାରରୁ ଅଧିକ ଭୋଟର ବିଜୟୀ ହୋଇଛନ୍ତି।
ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ମୋତେ ମୋଦୀ ସରକାର ଯୋଗ୍ୟ ମନେକରି ସୁଯୋଗ ଦେଲେ। ଏଥିପାଇଁ ବିଜେପି ସରକାରଙ୍କ ସହ ପ୍ରଭୁ ଜଗନ୍ନାଥ, ଓ ଓଡିଶାବାସୀଙ୍କ ପାଖରେ କୃତଜ୍ଞ। କିନ୍ତୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ମୁଁ ଚିର କୃତଜ୍ଞ। କାରଣ ଆଜି ମୁଁ ଯେଉଁ ଜାଗାରେ ପହଞ୍ଚିଛନ୍ତି ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକା ଅତୁଳନୀୟ। ସେ ହିଁ ମୋତେ ଇଣ୍ଟରଭ୍ୟୁ କରି ଦଳରେ ସ୍ଥାନ ଦେଇଥିଲେ। ନିର୍ବାଚନ ଲଢିବାକୁ ସୁଯୋଗ ଦେଲେ। ତାପରେ ୩ ଥର ବିଧାୟକ ହେବାକୁ ସୁଯୋଗ ଦେଲେ। ମନ୍ତ୍ରୀ ପଦ ମଧ୍ୟ ଦେଲେ, ଆହୁରି ଅନେକ କିଛି ସୁଯୋଗ ଦେଇଛନ୍ତି। ତେଣୁ ତାଙ୍କୁ ଥରୁଟିଏ ହେଲେ ବି ମୁଁ ଦେଖା କରିବାକୁ ଚାହୁଁଛି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।