ସତକୁ ଯିଏ ବୁଝେନି, ସିଏ ଅଧିକ ଦିନ ତିଷ୍ଠିନି: ସୋମ୍ୟ ପଟ୍ଟନାୟକ

ଓଏଲ୍ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ରହିବା ସହିତ ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ନେତା ନବୀନ ପଟ୍ଟନାୟକ ଆଜି ଇସ୍ତଫା ଦେଇଛନ୍ତି। ୫ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇସ୍ତଫା ଦେଇଛନ୍ତି। ଏସବୁ ଭିତରେ ଓଡିଶା ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି ଚର୍ଚ୍ଚିତ ନେତା ସୋମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶାବାସୀ ନବୀନଙ୍କୁ ଭଲ ପାଇବାରେ କାର୍ପଣ୍ୟତା କରିନାହାନ୍ତି, ଓଲଟା ତାଙ୍କ ଭଲପାଇବା ବଦଳରେ ଆପଣ ତାଙ୍କୁ କ’ଣ ଦେଇଛନ୍ତି ବୋଲି ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି।
ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ନବୀନ ପଟ୍ଟନାୟକଙ୍କୁ ଲୋକେ ଅଧିକରୁ ଅଧିକ ଭୋଟ ଦେଲେ, ହେଲେ ଏଥର କାହିଁକି ଭୋଟ କମେଇଦେଲେ ଜନତା। ନବୀନଙ୍କୁ ଗୋଟିଏ ଜାଗାରେ ହରାଇ ମଧ୍ୟ ଦେଲେ, ଯେଉଁଠି ମଧ୍ୟ ଜିତାଇଲେ ଦୟା କରି ଜିତାଇଲେ। ଏଥିରୁ ସ୍ପଷ୍ଟ ବାର୍ତ୍ତା ଆସୁଛି ଯେ, ରାଜନେତା ହିସାବରେ ନବୀନ ବାବୁଙ୍କର କଣ କରିବା ଉଚିତ ଥିଲା। ମୁଁ ତୁମକୁ ଭଲ ପାଉଛି, ଅନ୍ତତଃ ତୁମେ ମୋ ଭାଷାକୁ ଭଲ ପାଇବ। କ’ଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଚେଷ୍ଟା କରିଥିଲେ ୨୫ ବର୍ଷରେ ଓଡ଼ିଆ ଭାଷା ଶିଖିପାରିନଥାନ୍ତେ ବୋଲି ସୋମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଏହା ସହ କ୍ରୀତଦାସ, ଓଡ଼ିଆ ଅସ୍ମିତା କଥା ନେଇ ବର୍ଷିଛନ୍ତି ସୋମ୍ୟରଞ୍ଜନ ପଟ୍ଟନାୟକ। କାର୍ତ୍ତିକ ପାଣ୍ଡିଆନଙ୍କ ବିଷୟରେ ଆଲୋଚନା କରି ମୁଁ ତାଙ୍କ ଗୁରୁତ୍ତ୍ୱ ବଢ଼ାଇବାକୁ ଚାହେଁନି ବୋଲି ସେ କହିଛନ୍ତି।
ପ୍ରତି ନିର୍ବାଚନ ଶିକ୍ଷଣୀୟ ହେଇଥାଏ। ଯିଏ ପ୍ରତି ନିର୍ବାଚନରୁ କିଛି କିଛି ଶିଖିଥାଏ, ପରବର୍ତ୍ତୀ ନିର୍ବାଚନ ପାଇଁ ଉପଯୋଗୀ ହେଇଥାଏ। ଏଥର ନିର୍ବାଚନ ମୋ ପାଇଁ ଶିକ୍ଷଣୀୟ ଥିଲା। ତେବେ ଏକ ବିଶେଷ ପରିସ୍ଥିତିରେ ମୁଁ ଘଷିପୁରାରୁ ନିର୍ବାଚନ ଲଢିବାକୁ ଚିନ୍ତା କରିଥିଲି। ତାହା ପୁଣି ବିନା ଦଳ, ବିନା ସଙ୍ଗଠନ ଏବଂ ବିନା ଅନୁଭବରେ। ଘଷିପୁରାରେ ହିଂସା ରାଜୁତି କରୁଥିଲା। ରାଜନୈତିକ ହିଂସାକାଣ୍ଡ ସର୍ବାଧିକ ହେଉଥିଲା। ଏଭଳି ପରିସ୍ଥିତିରେ ମୁଁ ଘଷିପୁରା ନିର୍ବାଚନରେ ପ୍ରବେଶ କରିଥିଲି। ପ୍ରଥମରୁ ସେ ଘଷିପୁରା ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ କରିବାକୁ ଲକ୍ଷ୍ୟ ରଖିଥିଲେ ଆଉ ତାହା ସଫଳ ହେଇଛି। ଏଥର ବିନା ବୁଥ୍ କ୍ୟାପଚରିଂରେ ଘଷିପୁରାରେ ନିର୍ବାଚନ ହେଇଛି। ଘଷିପୁରାର ଅନେକ ଲୋକ ୨୫ ବର୍ଷ ପରେ ଭୋଟ୍ ଦେବାର ଅଧିକାର ପାଇଲେ ବୋଲି ସୌମ୍ୟ ପଟ୍ଟନାୟକ କହିଛନ୍ତି।
ଅନ୍ୟପଟେ ନିର୍ବାଚନ କମିସନଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ସ୍ୱାଧୀନ ବିଧାୟକ ଏବଂ ସ୍ୱାଧୀନ ସାଂସଦ ପ୍ରାର୍ଥୀଙ୍କ ଚିହ୍ନ ଅଲଗା ଅଲଗା ହେଉ। ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ଚିହ୍ନ ସମାନ ହେଇଥିବାରୁ, ଭୋଟିଂରେ ଅସୁବିଧା ହେଇଥିଲା ବୋଲି ସେ କହିଛନ୍ତି। ବିଜୁ ଜନତା ଦଳରେ ଥିବାବେଳେ, ପ୍ରଥମେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେଉଥିଲା। କିଛି ପରାମର୍ଶ ମଧ୍ୟ ଦିଆ ନିଆ ହେଉଥିଲା । ହେଲେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଏକୁଟିଆ ହେଇଗଲେ । ଆଉ ପରାମର୍ଶ ଦେବାର କି ନେବାର ସୁଯୋଗ ରହିଲାନି। ତାର କୁପରିଣାମ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଭୋଗୁଛନ୍ତି। ଦିନେ ମୁଖ୍ୟମନ୍ତ୍ରୀ ହିଁ ତାଙ୍କୁ ଦଳର ସମ୍ପତ୍ତି ବୋଲି କହୁଥିଲେ, ହେଲେ ସେହି ସମ୍ପତ୍ତି କିପରି ବିପତ୍ତି ହେଇଗଲା ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଖାଲି ସେତିକି ନୁହେଁ ନବୀନ ବାବୁଙ୍କ ପରାଜୟର କାରଣ ସମ୍ପର୍କରେ ମତ ରଖି ସେ କହିଥିଲେ, ଯେଉଁ ରାଜନେତାମାନେ ସତକୁ ବୋଝ ମଣନ୍ତି, ତାଙ୍କର ଭାଗ୍ୟରେ ପରିବର୍ତ୍ତନ ହୁଏନି। ଭବିଷ୍ୟତ ବେଶ୍ ଉଜ୍ଜଳ ହୁଏନି। ତେବେ ବିରୋଧୀ ଦଳ ହିସାବରେ ସେ ଆଦର୍ଶ ଦେଖାଇବା ସହ ଦଳକୁ ଗଣତାନ୍ତ୍ରିକ ଉପାୟରେ ଚଲାଇବାକୁ କହିଛନ୍ତି ସୌମ୍ୟରଞ୍ଜନ।