Odisha Link
Bridging the Missing Links in Odisha

ଜୁନ୍‌ ୯ରେ ଶପଥ ସମାରୋହ, ମୋଦିଙ୍କୁ ନୂଆ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ ରାଷ୍ଟ୍ରପତି

ଓଏଲ୍‌ ବ୍ୟୁରୋ: “ମୁଁ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି, ଈଶ୍ୱରଙ୍କ ନାଁରେ ଶପଥ କରୁଛି…। ୨୦୧୪ ମେ’ ୨୬, ୨୦୧୯ ମେ’ ୩ରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଏଭଳି ଢଙ୍ଗରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଠିକ୍‌ ଏଭଳି ଢଙ୍ଗରେ ଜୁନ୍‌ ୯ ତାରିଖରେ ଶପଥ ନେବେ ମୋଦି। ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ନରେନ୍ଦ୍ର ମୋଦିଙ୍କୁ ଦେଶରେ ପରବର୍ତ୍ତୀ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି।

ଆଜି ଏନଡିଏ ନେତା ନିର୍ବାଚିତ ହେବା ପରେ ଅପରାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ରାଷ୍ଟ୍ରପତି ମୋଦିଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ପରେ ମୋଦି ହେଉଛନ୍ତି ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଯିଏ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

ଅପରାହ୍ନରେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ମୋଦି କହିଛନ୍ତି “ରାଷ୍ଟ୍ରପତି ମୋତେ ଡାକିଥିଲେ ଓ ପରବର୍ତ୍ତୀ ସରକାର ଗଠନ ହେବା ଯାଏ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାମ କରିବାକୁ କହିଛନ୍ତି।ସେ ମୋତେ ଶପଥ ସମାରୋହ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ଆମେ ଜୁନ ୯ ତାରିଖ ସନ୍ଧ୍ୟାରେ ଶପଥପାଠ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ଥିବା ମୁଁ ତାଙ୍କୁ ଜଣାଇଛି। ଏବେ ରାଷ୍ଟ୍ରପତି ଭବନ ପକ୍ଷରୁ ବାକି କାମ କରାଯିବ। ଶପଥ ପାଠ କାର୍ଯ୍ୟକ୍ରମ ପ୍ରସ୍ତୁତି ମଧ୍ୟରେ ଆମେ ରାଷ୍ଟ୍ରପତିଙ୍କୁ ମନ୍ତ୍ରିମଣ୍ଡଳର ତାଲିକା ପ୍ରଦାନ କରିବୁ। ଏହାପରେ ଶପଥପାଠ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ମୋଦି କହିଛନ୍ତି।

ସୂଚନାଥାଉକି, ମୋଦି ଏନଡିଏର ନେତା ନିର୍ବାଚିତ ହୋଇଥିବା ନେଇ ଗୋଟିଏ ସମର୍ଥନପତ୍ର ରାଷ୍ଟ୍ରପତି ମ୍ୟାଡାମଙ୍କ ପାଖରେ ପହଞ୍ଚିଥିଲା।ଏଥିସହିତ ଆଜି ମେଣ୍ଟ ପକ୍ଷରୁ ଏନଡିଏରେ ଥିବା ସାଂସଦମାନଙ୍କ ତାଲିକା ମଧ୍ୟ ରାଷ୍ଟ୍ରପତିଙ୍କୁ ଦିଆଯାଇଛି।

Leave A Reply

Your email address will not be published.