Odisha Link
Bridging the Missing Links in Odisha

‘ଦେଶର ବିକାଶ କ୍ଷେତ୍ରରେ ଇଞ୍ଜିନ ହେବ ଓଡ଼ିଶା’

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ଲଗାତାର ତୃତୀୟ ଥର ଦେଶରେ ଆରମ୍ଭ ହେବ ମୋଦି ସରକାର। ଦିନେ ପରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। ସରକାର ଗଠନ ନେଇ କସରତ ଆରମ୍ଭ ହୋଇଛି। ଦିଲ୍ଲୀରେ ଏନ୍‌ଡିଏର ସଂସଦୀୟ ଦଳ ବୈଠକ ଜାରି ରହିଛି। ଏନ୍‌ଡିଏ ଅଂଶୀଦାର ନେତା ଓ ସାଂସଦ ସାମିଲ ରହିଥିବାବେଳେ ଏନ୍‌ଡିଏ ନେତା ଭାବେ ନିର୍ବାଚିତ ହେଲେ ନରେନ୍ଦ୍ର ମୋଦି।

ତେବେ ରାଜନାଥ ସିଂହ ଦଳର ବୈଠକରେ ଏହି ପ୍ରସ୍ତାବ ରଖିଥିଲେ। ଯାହାକି ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏହି ସଂସଦୀୟ ଦଳ ବୈଠକରେ ବିଜେପିର ନବ ନିର୍ବାଚିତ ସାଂସଦଙ୍କ ସହିତ ଏନଡିଏରେ ସାମିଲ ଥିବା ବିଭିନ୍ନ ଦଳର ନେତା ସାମିଲ ରହିଛନ୍ତି। ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଚନ୍ଦ୍ରବାବୁ ନାଇଡୁ ମଧ୍ୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ସହ ସେ କହିଛନ୍ତି, ଏନ୍‌ଡିଏର ସଂପୂର୍ଣ୍ଣ ବହୁମତ ଅଛି। ଆନ୍ଧ୍ରର ବିଜୟ ପଛରେ ମୋଦି ଏବଂ ଶାହଙ୍କ ବଡ଼ ଭୂମିକା ରହିଛି। ମୋଦିଙ୍କ ନେତୃତ୍ବ ଉପରେ ଦେଶର ଭରସା ରହିଛି।

ଏନ୍‌ଡିଏ ନେତା ନିର୍ବାଚିତ ପରେ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ସର୍ବସମ୍ମତି କ୍ରମେ ମୋତେ ବାଛି ନୂଆ ଦାୟିତ୍ବ ଦେଇଛନ୍ତି।ଏଥିପାଇଁ ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ। ଏନ୍‌ଡିଏ ଆଜି ୨୨ ରାଜ୍ୟରେ ସରକାର କରିବାର ମୌକା ପାଇଛି। ଆମ ମହାମେଣ୍ଟ ଭାରତର ଆତ୍ମାର ପ୍ରତିବିମ୍ବ। ଆଦିବାସୀ ବହୁଳ ୧୦ ରାଜ୍ୟରୁ ୭ ରାଜ୍ୟରେ ଏନ୍‌ଡିଏ ସରକାର। ଦେଶ ଚଳାଇବା ପାଇଁ ସର୍ବମତ ଜରୁରୀ। ଏନ୍‌ଡିଏ ସବୁଠୁ ସଫଳ ମେଣ୍ଟ। ଓଡ଼ିଶାରେ କ୍ରାନ୍ତିକାରୀ ପରିବର୍ତ୍ତନ ହୋଇଛି।

ଆଗାମୀ ୨୫ ବର୍ଷରେ ଓଡ଼ିଶା ସବୁଠୁ ଆଗରେ ରହିବ। ଦେଶର ବିକାଶ କ୍ଷେତ୍ରରେ ଇଞ୍ଜିନ ହେବ ଓଡ଼ିଶା। ଏନ୍‌ଡିଏ ଭଳି ଅନ୍ୟ କୌଣସି ପ୍ରି-ପୋଲ୍‌ ଆଲାଏନ୍ସ ସଫଳ ହୋଇନି। ଏନ୍‌ଡିଏ ହେଉଛି ସବୁଠାରୁ ସଫଳ ଆଲାଏନ୍ସ। ୩୦ ବର୍ଷ ହେଲାଣି ଏକ ଅର୍ଗାନିକ ଆଲାଏନ୍ସ ପାଲଟିଛି ଏନ୍‌ଡିଏ। ଏନ୍‌ଡିଏ କଥା କହିଲା କ୍ଷଣି, ଛାଁକୁ ଛାଁ ଗୁଡ୍‌ ଗଭର୍ଣ୍ଣାନ୍ସ ମନକୁ ଆସିଯାଏ। ଗରିବ କଲ୍ୟାଣ ଏନ୍‌ଡିଏ ଶାସନର କେନ୍ଦ୍ରସ୍ଥଳ ପାଲଟିଛି। ଆଗାମୀ ୧୦ ବର୍ଷରେ ଗୁଡ୍‌ ଗଭର୍ଣ୍ଣାନ୍ସ, ବିକାଶର ନୂଆ ଅଧ୍ୟାୟ ଲେଖାଯିବ। ସମସ୍ତେ ମିଶି ବିକଶିତ ଭାରତ ସ୍ବପ୍ନକୁ ସାକାର କରିକି ହିଁ ରହିବା। ସଂସଦରେ ଯେକୌଣସି ଦଳର ସାଂସଦ ମୋ ପାଇଁ ସମାନ। ମୋ ପାଖରେ ନିଜ, ପର ଭେଦଭାବ ନାହିଁ, ସମସ୍ତେ ସମାନ ବୋଲି ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି।

Leave A Reply

Your email address will not be published.