ଆଜିଠୁ ମୋଦି ୩.୦ : ପ୍ରାୟ ୬ ଦଶନ୍ଧି ପରେ ଲେଖାହେବ ନୂଆ ଇତିହାସ
ଓଏଲ୍ ବ୍ୟୁରୋ: ଆଜି ଇତିହାସ ଲେଖିବ-ରାଷ୍ଟ୍ରପତି ଭବନର ରବିବାର ସନ୍ଧ୍ୟା। ପ୍ରାୟ ୬ ଦଶନ୍ଧି ପରେ, ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ବନିବେ ଆଉ ଜଣେ ନେତା। ଜବାହରଲାଲ ନେହରୁଙ୍କ ପରେ ହ୍ୟାଟ୍ରିକ୍ କରିବାରେ, ନରେନ୍ଦ୍ର ମୋଦି ବନିବେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ଆଜି ସନ୍ଧ୍ୟା ୭ଟା ୧୫ ମିନିଟରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି।
ମୋଦିଙ୍କୁ ୨୦୧୪ରେ ପ୍ରଣବ ମୁଖାର୍ଜୀ ଓ ୨୦୧୯ରେ ରାମନାଥ କୋବିନ୍ଦ ଶପଥ ପାଠ କରାଇଥିବା ବେଳେ, ଏଥର ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ରାଇସିନା ହିଲରେ ହୋଇଛି ଭବ୍ୟ ଆୟୋଜନ। ମୋଦି ଶପଥ ନେବା ସାଥେ ସାଥେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ।
ଶପଥ ଉତ୍ସବରେ ସାମିଲ ହେବେ ୭ ପଡ଼ୋଶୀ ଏବଂ ଭାରତ ମହାସାଗର କ୍ଷେତ୍ର ଅନ୍ତର୍ଗତ ଦେଶର ଶୀର୍ଷ ନେତାଙ୍କ ସମେତ ପ୍ରାୟ ୮ ହଜାର ଅତିଥି। ପଡ଼ୋଶୀ ପ୍ରଥମ ନୀତିକୁ ଆଧାର କରି ସେମାନଙ୍କୁ ନିମନ୍ତ୍ରଣ ପଠାଇଛି ବୈଦେଶିକ ମନ୍ତ୍ରାଳୟ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମେତ କିଛି ଅତିଥି ଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀଲଙ୍କା ଓ ମାଳଦ୍ୱୀପର ରାଷ୍ଟ୍ରପତି, ସିସେଲ୍ସ ଉପରାଷ୍ଟ୍ରପତି ଏବଂ ବାଂଲାଦେଶ, ମରିସସ୍, ନେପାଳ ଓ ଭୁଟାନର ପ୍ରଧାନମନ୍ତ୍ରୀଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ ଆମନ୍ତ୍ରିତ କରାଯାଇଛି।