ଶପଥ ନେବାର ୨୪ ଘଣ୍ଟା ନପୂରୁଣୁ ପଲଟିଲେ ମୋଦିଙ୍କ ମନ୍ତ୍ରୀ, କିଏ ସେ ଜାଣନ୍ତୁ
ଓଏଲ୍ ବ୍ୟୁରୋ: ପ୍ରାୟ ୬ ଦଶନ୍ଧି ପରେ, ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଜବାହରଲାଲ ନେହରୁଙ୍କ ପରେ ହ୍ୟାଟ୍ରିକ୍ କରିବାରେ, ନରେନ୍ଦ୍ର ମୋଦି ବନିଛନ୍ତି ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ଗତକାଲି ମୋଦିଙ୍କ ସମେତ ୭୧ ଜଣ ମନ୍ତ୍ରୀ ଶପଥ ନେଇଥିଲେ। ହେଲେ ଶପଥ ଗ୍ରହଣ ଉତ୍ସବର ୨୪ ଘଣ୍ଟ ନପୂରୁଣୁ ମୋଦିଙ୍କ ୩.୦ ବିଗ୍ରେଡରେ ସ୍ଥାନ ପାଇଥିବା କେରଳ ଏକମାତତ୍ର ବିଜେପି ସାଂସଦ ସୁରେଶ ଗୋପି ମୋଦିଙ୍କ କ୍ୟାବିନେଟରେ ରହିବାକୁ ଚାହୁଁ ନାହାନ୍ତି।
ସୁରେଶ ଗୋପି ଏକ ମାଲାୟାଲାମ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଜଣେ ସାଂସଦ ଭାବେ କାମ କରିବାକୁ ଚାହୁଁଛି। ମୋତେ କ୍ୟାବିନେଟରେ ରହିବାକୁ ଇଚ୍ଛା ନାହିଁ। ମୁଁ ଦଳକୁ ପୂର୍ବରୁ କହିଥିଲି କି ମନ୍ତ୍ରୀ ପଦ ଉପରେ ମୋର କୌଣସି ଆଶା ନାହିଁ। ମୋତେ ଲାଗୁଛି ଖୁବଶୀଘ୍ର ମୁକ୍ତ ହୋଇଯିବି। ସେହିପରି ସେ ନିର୍ବାଚନ ଜିତିବା ପରେ କହିଥିଲେ ଯେ ରାଜନୀତିରେ ପ୍ରବେଶ କରିଛି ସତ। ହେଲେ କେବେ ଫିଲ୍ମ ଦୁନିଆକୁ ଛାଡ଼ିବି ନାହିଁ। କାରଣ ଫିଲ୍ମ ହିଁ ଜୀବନ ବୋଲି କହିଥିଲେ ଗୋପି।
ସୁରେଶ ଗୋପି କିଏ ?
ସୁରେଶ ଗୋପି ହେଉଛନ୍ତି ମାଲାୟାଲାମ ସିନେମା ଜଗତର ଜଣେ ଭେଟେରାନ ଅଭିନେତା। ୬୫ ବର୍ଷିୟ ଗୋପି ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେ ସିପିଆଇ ନେତା ଭିଏସ୍ ସୁନୀଲକୁମାରଙ୍କୁ ୭୪ ହଜାର ଭୋଟରେ ହରାଇ ସଂସଦ ଭବନ ପହଁଞ୍ଚିଛନ୍ତି। ଶ୍ରୀ ଗୋପିଙ୍କ ଶିକ୍ଷାଗତ ଯୋଗ୍ୟତା ଏମ୍.ଏ ହୋଇଥିବା ବେଳେ ସେ କେରଳ ତ୍ରିଶୁରର ବାସିନ୍ଦା।