ଚର୍ଚ୍ଚାରେ କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ପ୍ରତିକ୍ରିୟା ରଖିଲେ ବିଜୟପାଲ ସିଂ..
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି। ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ପ୍ରାୟ ୬ ଦଶନ୍ଧି ପରେ, ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେଇଛନ୍ତି। ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବେ କଳ୍ପନାଜଳ୍ପନା ଚାଲିଥିବାବେଳେ ଆସନ୍ତା ୧୨ ତାରିଖରେ ଶପଥ ସମାରୋହ ଉତ୍ସବ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଚର୍ଚ୍ଚା ପ୍ରସଙ୍ଗରେ ବିଜୟପାଲ ସିଂ ତୋମର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କିଏ ହେବେ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ। ଗିରୀଶ ମୁର୍ମୁଙ୍କ ନାଁ ଚର୍ଚ୍ଚାରେ ଥିବା ପ୍ରସଙ୍ଗରେ ତୋମର କହିଛନ୍ତି, ମୋ ଜାଣିବାରେ ସେଭଳି କିଛି ନାହିଁ।
ଅନ୍ୟପଟେ, ମୁଖ୍ୟମନ୍ତ୍ରୀ କିଏ ହେବେ ଚର୍ଚ୍ଚାକୁ ନେଇ ଦିଲ୍ଲୀରୁ ଫେରିବା ପରେ ବିଜେପି ବିଧାୟକ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କିଏ ହେବେ ପ୍ରଶ୍ନରେ ଘୋଷଣାକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଦଳୀୟ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ। ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ। ପର୍ଯ୍ୟବେକ୍ଷକ ଭାବେ ରାଜନାଥ ସିଂହ, ଭୁପେନ୍ଦ୍ର ଯାଦବ ଆସିବେ। ବିଧାୟକ ଦଳ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ବିଧାୟକ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ତେବେ ଓଡିଶା ଶାସନ ଗାଦିରେ କିଏ ବସିବେ ସେନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏଯାଏଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ।